ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବହୁଭାଷୀ ଶିକ୍ଷା ଅଧିବେଶନ
କାଳିଆପାଣି: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ବହୁଭାଷିକତାକୁ ସାମିଲ କରିବା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରର ସବଳ କେନ୍ଦ୍ରରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଷାଗତ ବିବିଧତା ସଂରକ୍ଷଣ ଏବଂ ସମାବେଶୀ ଶିକ୍ଷଣ ପରିବେଶକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାଳିଆପାଣି ପଞ୍ଚାୟତ, ରାଂଶୋଳ ପଞ୍ଚାୟତ, କଂସ ପଞ୍ଚାୟତ ଓ ଚିଙ୍ଗୁଡିପାଳ ପଞ୍ଚାୟତ ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୦ସ୍କୁଲ ଶିକ୍ଷକ ଏହି ଅଧିବେଶନରେ ଅଂଶଗ୍ରହଣ କରି ଏକାଧିକ ଭାଷାକୁ ଶ୍ରେଣୀ ଗୃହ ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା ଉପରେ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲେ । ବହୁଭାଷୀ ଶିକ୍ଷା କିପରି ଶିକ୍ଷଣ ଫଳାଫଳକୁ ବଢ଼ାଇପାରିବ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିପାରିବ ସେ ବିଷୟରେ ବିଶେଷଜ୍ଞ ଓ ଶିକ୍ଷକମାନେ ସେମାନଙ୍କ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ । ଖଣି ପରିସରରେ ଥିବା ଷ୍ଟୁଆର୍ଟ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଶ୍ରମ ଶକ୍ତି ହାଇସ୍କୁଲର ଶିକ୍ଷକମାନେ ମଧ୍ୟ ଏହି ଅଧିବେଶନରେ ଯୋଗ ଦେଇଥିଲେ ।ଏହି ଅବସରରେ ଟାଟାଷ୍ଟିଲର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନର କାର୍ଯ୍ୟନିର୍ବାହୀ ପ୍ରଭାରୀ ପଙ୍କଜ ସତିଜା କହିଥିଲେ ଯେ, ଭାଷା ଓ ସଂସ୍କୃତି ପରସ୍ପରର ପରିପୂରକ ଏବଂ ଉଭୟ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ସମୃଦ୍ଧ ଭାଷା ବିନା ଏକ ପ୍ରଗତିଶୀଳ ସମାଜର ମୌଳିକ ଅବଧାରଣା ଅସମ୍ପୂର୍ଣ୍ଣ । କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ବହୁଭାଷୀ ଶିକ୍ଷାଦାନ ଅଭ୍ୟାସକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ଏବଂ ଭାଷାଗତ ବିବିଧତାକୁ ସୁଦୃଢ଼ କରିବ ।ସାମଗ୍ରିକ ଶିକ୍ଷା ଏବଂ ଗୋଷ୍ଠୀ ବିକାଶ ପାଇଁ ଟାଟାଷ୍ଟିଲ ଫାଉଣ୍ଡେସନ ସର୍ବଦା ପ୍ରତିବଦ୍ଧ ରହିଛି । ଏପରି ଅଧିବେଶନ ଜରିଆରେ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରି ଫାଉଣ୍ଡେସନ ଭାଷା ଏବଂ ଅନ୍ତର୍ଭୁକ୍ତ ଶିକ୍ଷଣ ପଦ୍ଧତିର ସଂରକ୍ଷଣରେ ନିଜ ଯୋଗଦାନ ଜାରିରଖିଛି ।