ଟାର୍ଗେଟ ଅଭାବରୁ ଉଠୁନି ଧାନ : ମଣ୍ଡିରେ ପଡ଼ିଛି ହଜାର ହଜାର ଧାନ ବସ୍ତା 


ରାଇଘରରୁ ମନୋଜ ରାଜପୁତ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଧାନକିଣାରେ ନାନା ସମସ୍ୟା ସୃଷ୍ଟି ହୋଇଛି । ମଣ୍ଡି ଆରମ୍ଭରୁ ଏଫ୍ଏକୁ୍ୟ ମାନର ଧାନକିଣା ପରବର୍ତ୍ତୀ ସମୟରେ କଟ୍ନୀ ଛଟ୍ନୀ ସମସ୍ୟା ଦେଖାଯିବା ପରେ ଟାର୍ଗେଟ ଅଭାବରୁ ଧାନ ନ ଉଠିବା ସମସ୍ୟା ଦେଖା ଦେଇଥିଲା । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ ପରେ ଟାର୍ଗେଟ ବୃଦ୍ଧି କରାଯାଇଥିଲା । କିନ୍ତୁ ଦ୍ୱିତୀୟ ଥର ସମାନ ପରିସ୍ଥିତି ଦେଖାଦେଇଛି । ବର୍ତ୍ତମାନ ସମୟରେ ଲ୍ୟାମ୍ପସ୍ ଓ ଦୁଇ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମୋଟ ୬ ଗୋଟି ମଣ୍ଡିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଧାନ ବସ୍ତା ପଡି ରହିଥିବାବେଳେ ୧୮ଜଣ ଚାଷୀଙ୍କ ଟୋକନ୍ ହୋଇଥିବା ଲ୍ୟାମ୍ପସ୍ ତଥ୍ୟରୁ ଜଣାପଡିଛି । ଅନ୍ୟପଟେ ଯୋଗାଣ ବିଭାଗ ତଥ୍ୟକୁ ନେଇ ଉଠିଛି ପ୍ରଶ୍ନ । ତେବେ ପରିସ୍ଥିତିକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।
ରାଇଘର ବ୍ଲକର ମହଣ୍ଡ, ଗୋନା, ରାଇଘର, ଜୋଡିଙ୍ଗା ଓ ହାଟଭରଣ୍ଡିରେ ମୋଟ ୫ ଗୋଟି ମଣ୍ଡି ରହିଥିବାବେଳେ ବ୍ଲକର ୨୬ ଗୋଟି ପଞ୍ଚାୟତର ଚାଷୀ ଏଠାରେ ଧାନ ବିକ୍ରୟ କରିବେ । ଜାନୁଆରୀ ୨୬ ତାରିଖ ରିପୋର୍ଟ ଅନୁଯାୟୀ ରାଇଘର ମଣ୍ଡିରେ ଉଭୟ ଲ୍ୟାମ୍ପସ୍ ଓ ଏସ୍ଏଚଜି ଗ୍ରୁପ ପରିଚାଳିତ ମଣ୍ଡିରେ ୧୦୪ଜଣ ଚାଷୀଙ୍କ ୧୪ ହଜାର ୭ ଶହ ୪୫ ବସ୍ତା ଧାନ ପଡି ରହିଥିବାବେଳେ ଯୋଡ଼ିଙ୍ଗା ମଣ୍ଡିରେ ୫୩ ଜଣ ଚାଷୀଙ୍କ ୧୪ ହଜାର ୧୯ ବସ୍ତା ଧାନ, ଗୋନା ମଣ୍ଡିରେ ୪୯ଜଣ ଚାଷୀଙ୍କ ୭ ହଜାର ୨ଶହ ୮୯ବସ୍ତା ଧାନ, ହାଟଭରଣ୍ଡି ମଣ୍ଡିରେ ୭୯ଜଣ ଚାଷୀଙ୍କ ୧୦ ହଜାର ୬୫ ବସ୍ତା ଧାନ ପଡି ରହିଛି  । ମହଣ୍ଡ ମଣ୍ଡିରେ ୬୨ ଜଣ ଚାଷୀଙ୍କ ୮ ହଜାର ୩ ଶହ ୨୬ ବସ୍ତା ଧାନ ମୋଟ ୩୪୭ ଜଣ ଚାଷୀଙ୍କ ୫୪ ହଜାର ୪ ଶହ ୪୪ ବସ୍ତା ଧାନ ମଣ୍ଡି କେନ୍ଦ୍ର ଠାରେ ଖୋଲା ମେଲାରେ ପଡି ରହିଛି ବୋଲି ଲ୍ୟାମ୍ପସ୍ ଏମଡି ପ୍ରକାଶ କରିଛନ୍ତି । ଏତଦ୍ ବ୍ୟତୀତ ଟାର୍ଗେଟ ନ ଥିବା ଯୋଗୁଁ ବର୍ତ୍ତମାନ୍ ସୁଦ୍ଧା ୧୮ଜଣ ଚାଷୀଙ୍କ ଟୋକନ୍ ଲ୍ୟାପ୍ସ ହୋଇ ଥିବା ଜଣାପଡିଛି । ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।  ଧାନ ନ ଉଠିବା ଯୋଗୁଁ ରାଇଘର ବ୍ଲକରେ ସ୍ଥିତି ସଙ୍ଗୀନ ହୋଇ ପଡିଛି । ମଣ୍ଡି ଧାନ ନ ଉଠିବା ସମସ୍ୟା ଭିତରେ କଟନୀ ଛଟନୀ ସମସ୍ୟା ଚାଷୀଙ୍କୁ ଶୋଷଣ କରୁଛି । ଫଳରେ ଧାନ ଚୋରା ଚାଲାଣ ଜୋରଦାର ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଧାନ କିଣା ନ ହୋଇ ଖୋଳାରେ ପଡି ରହିବା ଯୋଗୁଁ ଓଜନ ହ୍ରାସ ମଧ୍ୟ ଘଟୁଛି । ଫଳରେ ନାନା ସମସ୍ୟା ଦେଖା ଦେଇଛି । ପ୍ରତିଦିନ ଦଲାଲ ସକ୍ରିୟ ହୋଇ ଖୁଲମ ଖୁଲା ଚାଲାଣ କରୁଥିବା ବେଳେ ସୀମାନ୍ତ ରାଇଘର ବ୍ଲକରେ ପ୍ରଶାସନ ପକ୍ଷରୁ ଗୋଟିଏ ମଧ୍ୟ ଗାଡି ଜବତ କରାଯାଇ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଦଲାଲ ସହ ମଧୁଚନ୍ଦ୍ରିକା ସ୍ଥାପନ କରାଯାଇ ଚୋରା ଚାଲାଣ କରାଯାଉଛି । ଉଭୟ ରାଜ୍ୟରେ ଧାନ ୩୧ ଶହ ଟଙ୍କା ରହିଥିବାବେଳେ କିଛି ଦଲାଲ ମିଳିତ ହୋଇ ଷଡ଼ଯନ୍ତ୍ର କରି ଚୋରା ଚାଲାଣ କରୁଥିବା ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ରାଇଘର ଯୋଗାଣ ଅଧିକାରୀ ଦେବଧର ଧୁରୁଆଙ୍କୁ ପଚାରିବାରୁ ତଥ୍ୟ ଅନୁଯାୟୀ ବର୍ତ୍ତମାନ୍ ସୁଦ୍ଧା ୧ଲକ୍ଷ ୬୦ ହଜାର ୨୫୦ କ୍ୱିଣ୍ଟାଲ୍ ଟାର୍ଗେଟ ଆସିଥିବା ବେଳେ ୧ ଲକ୍ଷ ୪୩ ହଜାର ୫ ଶହ ୭୮ କ୍ୱିଣ୍ଟାଲ୍୍ କିଣା ସରିଥିବା ପ୍ରକାଶ କରିଛନ୍ତି । ତେବେ ଲ୍ୟାମ୍ପସ୍ ଦେଇଥିବା ଚାଷୀଙ୍କ ଟୋକେନ ଲ୍ୟାପ୍ସ ଘଟଣା ଉପରେ ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି । ତେବେ ସରକାରୀ ତଥ୍ୟ ଅନୁସାରେ ବିଭାଗ ହାତରେ ଟାର୍ଗେଟ ରହିଥିବା ବେଳେ ମଣ୍ଡି ଗୁଡିକରେ ପଡ଼ିଥିବା ୫୦ ହଜାର ଧାନ ବସ୍ତା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ  ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।