ଟ୍ରକ ଲୁଟିନେଲା ମ୍ୟାନେଜର, ପୁଲିସ କଲାନି ମାମଲା

 କେନ୍ଦ୍ରାପଡ଼ା : ଜଣେ ବ୍ୟକ୍ତି ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଯିବା ପରେ ନିଜ ଟ୍ରକକୁ ଦେଖାଶୁଣା କରିବା ପାଇଁ ଜଣେ ମ୍ୟାନେଜରଙ୍କୁ ନିଯୁକ୍ତି ଦେଲେ । ୫ ବର୍ଷ ସବୁକିଛି ଠିକଠାକ ଚାଲିଥିଲା । ଟ୍ରକରୁ ଯାହା ରୋଜଗାର ହେଉଥିଲା ମ୍ୟାନେଜର ଦରମା ନେଉଥିଲା । ବାକି ଅର୍ଥ ଟ୍ରକର କିସ୍ତି ଭରାଯାଉଥିଲା । କିନ୍ତ ୫ ବର୍ଷ ପରେ ମ୍ୟାନେଜରର ଲୋଭ ବଢିଗଲା । ସେ ନିଜ ନାମରେ ଟ୍ରକଟିକୁ କରିନେବା ପାଇଁ ପାଇଁ ଯୋଜନା କଲା । ହେଲେ ଟ୍ରକ ମାଲିକ ଏଥିରେ ଅରାଜି ହେବାରୁ ତାଙ୍କ ଟ୍ରକରେ ବୋଝେଇ ହୋଇଥିବା କୋଇଲାକୁ ବିକ୍ରି କରିଦେବ, ଟ୍ରକକୁ କାଟି କବାଡିଆ ଦୋକାନରେ ବିକ୍ରି କରିଦେବ, ଏହାସହ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଲେ । ଏ ନେଇ ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଟ୍ରକ ମାଲିକ କ୍ଷେତ୍ରବାସୀ ଜେନା ଥାନାରେ ଅଭିଯୋଗ କରଥିଲେ । ହେଲେ ପୁଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ ନ କରିବାରୁ ସେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ଏ ସଂକ୍ରାନ୍ତରେ ସଦର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗ ହୋଇଛି । ଆମେ ନିଶ୍ଚିତ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବୁ ।