ଟ୍ରଲରକୁ ଧକ୍କା ଦେଲା ଟୁରିଷ୍ଟ ବସ: ୧୦ ଆହତ, ଜଣେ ଗୁରୁତର
ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲରା ନିକଟରେ ଟ୍ରଲରକୁ ଟୁରିଷ୍ଟ ବସ ଧକ୍କା ଦେଇଛି । ଫଳରେ ବସରେ ଥିବା ୫୧ ଯାତ୍ରୀଙ୍କ ମଧ୍ୟରୁ ଦଶ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଚକଦା ଥାନା ଲକ୍ଷ୍ମୀପୁର ଅଞ୍ଚଳର ୫୧ ଜଣ ତୀର୍ଥ ଯାତ୍ରୀ ଡବ୍ଲୁ ବି ୧୯ ଜି ୫୬୪୬ ଏକ ଟୁରିଷ୍ଟ ବସରେ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଟ୍ରଲର ପଛପଟକୁ ଧକ୍କା ଦେଇଥିଲା । ଖବର ପାଇ ଜାତୀୟ ରାଜପଥରେ ପ୍ରହରା ଦେଉଥିବା ପୁଲିସ ସହିତ ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା କୁ ପଠାଇଥିଲେ । ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଟ୍ରଲର ଓ ବସକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।