ଟ୍ରାନ୍ସଫର୍ମର ଚୋରି : ଅନ୍ଧାରରେ ଓଏମ୍ସି କାଠପାଳ କଲୋନୀ
କାଳିଆପାଣି : ଓଡିଶା ଖଣି ନିଗମ କାଠପାଳ ମାଇନିଂ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଆଜିକୁ ୪ ଦିନ ହେଲା ବିନା ବିଜୁଳି ବତିରେ ରହିବାକୁ ବାଧ୍ୟ ହେଉଛନ୍ତି କାମ୍ପବାସୀ । ଓଡିଶା ଖଣି ନିଗମ,କାଠପାଳ କ୍ୟାମ୍ପର ଅଫିସ ଏବଂ କର୍ମଚାରୀଙ୍କ ଙ୍କ ନିମନ୍ତେ ସଂଯୋଗ ହୋଇଥିବା ଟ୍ରାନ୍ସଫରମର ଶୁକ୍ରବାର ରାତିରେ ଚୋରି ହୋଇ ଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, କମ୍ପାନୀ ଦ୍ୱାରା ନିୟୋଜିତ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଦୁର୍ବୁତ ୧୧କେଭି ଟ୍ରାନ୍ସଫରମରଟିକୁ ଉଠାଇନେଲେ । ମାତ୍ର କମ୍ପାନୀ ସୁରକ୍ଷା କର୍ମୀ ଏହାର ଟେର ପାଇନଥିଲେ । ସୂଚନା ଥାଉକି ଖଣି ନିଗମ ପକ୍ଷରୁ କାଠପାଳ କ୍ୟାମ୍ପର ସୁରକ୍ଷା ନିମନ୍ତେ ଜଣେ କମ୍ପାନୀ ସୁରକ୍ଷା ଅଧିକାରୀ ସେଠାରେ ନିୟୋଜିତ ଅଛନ୍ତି । ତାଙ୍କ ଅଧୀନରେ ଗ୍ରୁପ-୪ ନାମକ ଠିକା ସୁରକ୍ଷା ସଂସ୍ଥାର ୧୯ଜଣ ସୁରକ୍ଷା କର୍ମୀ କ୍ୟାମ୍ପର ସୁରକ୍ଷା ନିମନ୍ତେ ସେଠାରେ ନିୟୋଜିତ ଅଛନ୍ତି । କିନ୍ତୁ କମ୍ପାନୀର ବେପରୁଆ ମନୋଭାବ ଯୋଗୁଁ କମ୍ପାନୀ ପରିସର ମଧ୍ୟରେ ରହୁଥିବା କମ୍ପାନୀ କର୍ମଚାରୀ ଏବଂ ଅଫିସ କର୍ମଚାରୀ ଭୀଷଣ ଗୁଳୁଗୁଳି ଏବଂ ଅନ୍ଧାର ରାତିରେ ରହିବାକୁ ବାଧ୍ୟ ହୋଇଛନ୍ତି । ବିଶେଷ ସୂତ୍ରରୁ ଜଣା ପଡିଛି ଯେ, ଯେଉଁ ଠିକା ସୁରକ୍ଷା କର୍ମୀ ସେଠାରେ ନିଯୁକ୍ତି ପାଇଛନ୍ତି ଏବଂ କମ୍ପାନୀର ଖଣି ଖାଦାନ, ଗଛିତ ହୋଇ ରହିଥିବା କ୍ରୋମାଇଟ ଓର ଏବଂ କମ୍ପାନୀ ପରିସରକୁ ସୁରକ୍ଷା ଦେବାର ଦାୟିତ୍ୱରେ ନିୟୋଜିତ ଅଛନ୍ତି ତାଙ୍କୁ କମ୍ପାନୀ ସେଠାରେ ଡ଼ୁ୍ୟଟି ନକରାଇ ସୁକୁରୁଙ୍ଗୀ କ୍ରୋମାଇଟ ମାଇନିଂକୁ ପଠା ଯାଉଛନ୍ତି । ଯାହା ଫଳରେ କାଠପାଳ କ୍ୟାମ୍ପ ଏବଂ ଏହାର ପରିସର ମଧ୍ୟରେ ରହିଥିବା ବହୁମୂଲ୍ୟବାନ କ୍ରୋମାଇଟ ଓର ଚୋରି ହେବାରେ ଲାଗିଛି । ଏହି କ୍ୟାମ୍ପର ସୁରକ୍ଷା ଦାୟିତ୍ୱରେ ଥିବା ଗ୍ରୁପ ୪ ସୁରକ୍ଷା କମ୍ପାନୀର ଉପସ୍ଥିତିରେ ଏହା ପୂର୍ବରୁ କମ୍ପାନୀ ପରିସରରେ ଥିବା ଅଧିକାଂଶ ଘରର ଝରକା କବାଟ ଏବଂ ଅନ୍ୟ ସାମଗ୍ରୀ ଚୋରି ହେବାରେ ଲାଗିଛି । ଏବେ ଚୋର ନିର୍ଭୟରେ ଟ୍ରାନ୍ସଫରମରଟିକୁ ସମ୍ପୂର୍ଣ ଖୋଲି ଏହା ମଧ୍ୟରେ ଥିବା ତମ୍ବା ତାର, ଅଏଲ ଇତ୍ୟାଦିକୁ ଚୋରିକରି ନେଇଛନ୍ତି । କମ୍ପାନୀ ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ନିଗମର କୋଟି କୋଟି ଟଙ୍କାର ସମ୍ପତି ଲୁଟ ହୋଇଚାଲିଛି ବୋଲି କୁହାଯାଉଛି ।