କବି ସଚ୍ଚି ରାଉତରାୟଙ୍କ କବିତାର ଆତ୍ମିକଧାରା

କବି ସଚ୍ଚି ରାଉତରାୟଙ୍କ କବିତାର ଆତ୍ମିକଧାରା

ଡକ୍ଟର ଲକ୍ଷ୍ମଣ ସାହୁ : କାବ୍ୟ ସରସ୍ୱତୀ ପଦ୍ମଶ୍ରୀ କବି ସଚ୍ଚି଼ିଦାନନ୍ଦ ରାଉତରାୟ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଦୀର୍ଘ ୭୫ବର୍ଷ ଧରି ସାହିତ୍ୟ ରଚନାରେ ବ୍ରତୀଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ତାଙ୍କୁ ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ଯୁଗ ପ୍ରବର୍ତ୍ତନର ଶ୍ରେୟ ଦିଆଯାଏ । ସେ ଓଡ଼ିଆରେ କେବଳ ନୁହେଁ ଇଂରାଜୀ ଭାଷାରେ ମଧ୍ୟ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଥିଲେ । ତାଙ୍କର ସୃଷ୍ଟି ସର୍ଜନା ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ । ତାହା କେବଳ ନୁହେଁ "ମାଟିର ଦ୍ରୋଣ’, "କବିଗୁରୁ’, "ମାଟିର ମହାକବି’, "ସମୟର ସଭାକବି’ ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ଲୋକପ୍ରିୟତା ଲାଭ କରି ପାରିଛନ୍ତି । ପଦ୍ମଶ୍ରୀ କବି ସଚ୍ଚି଼ିଦାନନ୍ଦ ବାସ୍ତବରେ ସେ ଏକ ଅଗ୍ନିସ୍ଫୁଲିଙ୍ଗ, ଏକ ଲାଭା ସ୍ରୋତ, ଧ୍ୱଂସର ଧୂର୍ଜଟୀ । ସେ ପୁଣି ଏକ ଶୀତଳ ପୂର୍ଣ୍ଣିମା, ଏକ କୋମଳ ଶତଦଳ, ଏକ ବିମୁଗ୍ଧ ବିଶ୍ୱକର୍ମା, ଶରତର ଶୁଭ୍ର ଶିଶିର । କହିବାକୁ ଗଲେ ଅସଲରେ ସେ ହେଉଛନ୍ତି ମହାକବି ସଚ୍ଚି଼ିଦାନନ୍ଦ ରାଉତରାୟ । ଏହି ଖ୍ୟାତନାମା କବି ୧୯୧୩ ମସିହା ମଇ ମାସ ୧୩ ତାରିଖ ଦିନ ଖୋର୍ଦ୍ଧା ସହର ଉପକଣ୍ଠସ୍ଥ ଗୁରୁଜଙ୍ଗ ଗ୍ରାମରେ କବି ସଚ୍ଚି଼ିଦାନନ୍ଦ ରାଉତରାୟଙ୍କ ଜନ୍ମ ।

  ସେ ଚାଟଶାଳୀରେ ପଢ଼ିବା ବେଳେ  ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ବ୍ରିଟିଶ ସରକାର ବିପକ୍ଷରେ ଲଢ଼ି ସେ ଖୋର୍ଦ୍ଧା ଉଚ୍ଚ଼ ବିଦ୍ୟାଳୟରୁ ବିତାଡ଼ିତ ହୋଇଥିଲେ ଓ ତା'ପରେ ବଙ୍ଗପ୍ରଦେଶରେ ପିଲାବେଳ କାଟିଥିଲେ । ମାତ୍ର ଏଗାର ବର୍ଷ ବୟସରୁ ସେ କବିତା ଲେଖା ଆରମ୍ଭ କରିଥିଲେ । ସ୍ୱାଧୀନଚେତା ଲେଖା ପାଇଁ ତାଙ୍କର ଦୁଇଟି କବିତା ୧୯୩୯ରେ ରକ୍ତଶିଖା ଓ ୧୯୪୩ରେ ଉଠ ଜାଗ ଭୋକବନ୍ଦୀକୁ ବ୍ରିଟିଶ ସରକାର ଜନସାଧାରଣଙ୍କ ପାଖରେ ପହଞ୍ଚିବାରୁ ରୋକିଦେଇଥିଲେ । ସେହିଭଳି ବାଜି ରାଉତ କବିତାରେ ଏହି ହୁଙ୍କା ପିଟା ଶାସନ ବିରୁଦ୍ଧରେ ବିରୋଧ କରିବାର ଆହ୍ୱାନ " ନୁହେଁ ବନ୍ଧୁ ନୁହେଁ ଏହା ଚିତା/ ଏଦେଶ ତିମିର ତଳେ/ ଏ ଅଲିଭା ମୁକତି ସଳିତା/ ନୁହେଁ ଏହା ହଜିଯିବା ପାଇଁ/ ଏହାର ଜନମ ଏଠି ଜାଳିପୋଡି ଦବାକୁ ଧସାଇ ।" ୧୯୩୮ରେ ତାଙ୍କ ଦ୍ୱାରା ଲିଖିତ ଏହି କାବ୍ୟ ବାଜି ରାଉତକୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରାଜୀରେ ନାଉରିଆ ପିଲା ଓ ଅନ୍ୟାନ୍ୟ କବିତା ନାମରେ ଅନୁବାଦ କରିଥିଲେ । ଯାହା ଫଳରେ କବି ସଚ୍ଚି଼ି ରାଉତରାୟ ଭାରତର ଜଣେ ସ୍ୱନାମଧନ୍ୟ କବି ଭାବେ ପ୍ରତିଷ୍ଠିତ ଦେଇଥିଲା । ରାଜନୈତିକ ଚରମପନ୍ଥୀ ଥିବାରୁ ରେଭେନ୍ସା ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପରିଜା, ରାଉତରାୟଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାଲାଭରୁ ବଞ୍ଚିତ କରିଥିଲେ । ସେହି ସମୟରେ ଉଚ୍ଚ଼ ଗୋଳାପଲ୍ଲୀର ତେଲୁଗୁ ରାଜଜେମା ଭୂଦେବୀଙ୍କୁ ସେ ବିବାହ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗନେଇ ସେ ଦୁଇଥର କାରାବରଣ କରିଥିଲେ । ୧୯୨୮ ମସିହାରେ ୧୫ ବୟସରୁ ସଚ୍ଚି଼ି ରାଉତରାୟଙ୍କ କବିତା ରଚନାର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ନବୀନ ପତ୍ରିକାରେ "ଭଗବାନ ଅଛ କାହିଁ" ପ୍ରଥମ ପ୍ରକାଶିତ କବିତାରେ ସାମ୍ୟବାଦୀ ମାର୍କ୍ସୀୟ ଚେତନା ରହିଥିଲା । ଏହି କବିତାଟି ପରେ ଅଭିଯାନ କବିତା ଗ୍ରନ୍ଥରେ ପ୍ରକାଶ ପାଇଛି । କବିତାର ଏକ ନୂତନ ଛନ୍ଦର ଐତିହାସିକ ପ୍ରୟୋଗ ସମ୍ପର୍କରେ ପାଂଡୁଲିପି କବିତା ଗ୍ରନ୍ଥର ନାନ୍ଦୀମୂଖୀରେ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ୧୯୪୩ରେ କବିଙ୍କ "ବାଜି ରାଉତ’ କବିତା ସ୍ୱାଧୀନତା ଆନ୍ଦୋଳନ ପାଇଁ ପ୍ରେରଣା ଦେଇଥିଲା । ଅନେକ ସବୁ ପ୍ରକାଶିତ କବିତା ମଧ୍ୟରେ "ଛୋଟ ମୋର ଗାଁଟି" ତାଙ୍କର ଏକ ଉଲ୍ଲେଖନୀୟ କବିତା । ତାଙ୍କର ଅନ୍ୟାନ୍ୟ ଜଣାଶୁଣା ରଚନା ମଧ୍ୟରେ ପଲ୍ଲୀଶ୍ରୀ, ପ୍ରତିମା ନାୟକ ଅନ୍ୟତମ ।

     ତାଙ୍କର ବହୁ କାବ୍ୟ କବିତା ଇଂରାଜୀ, ହିନ୍ଦୀ, ତେଲୁଗୁ, ଓ ପଞ୍ଜାବୀ ଭାଷାକୁ ଅନୂଦିତ ହୋଇଛି । ଏକଦା ଛାତ୍ର ଆନ୍ଦୋଳନ ସମୟରେ ରେଭେନ୍ସା ମହାବିଦ୍ୟାଳୟ ଛାତ୍ର ପ୍ରଦୀପ୍ତ ମିଶ୍ରଙ୍କ ନିଧନ ପରେ ସେ "ଚିରପ୍ରଦୀପ୍ତ’ କବିତା ଓ ୧୯୭୧ରେ ଆରମ୍ଭ ହୋଇଥିବା ବଙ୍ଗଳାଦେଶ ମୁକ୍ତି ସଂଗ୍ରାମରେ ଆତ୍ମାହୁତି ଦେଇଥିବା ଛାତ୍ରୀ ରୋଶନାରାଙ୍କ ଉପରେ ଲେଖିଥିଲେ, "ମୁଁ ତା'ର ଶବକୁ ଧରି କାନ୍ଧେ ମୋର, କରୁଅଛି ବିଶ୍ୱ ପ୍ରଦକ୍ଷଣ !’ ସେ ବଙ୍ଗଳାଦେଶକୁ ଜଣେ ସାରସ୍ୱତ ରାଷ୍ଟ୍ରଦୂତ ଭାବରେ ଯାଇ ଏ କବିତାଟି ପାଠ କରିଥିଲେ । ତାଙ୍କ "ଭାତ’ କବିତାର ଏକ ପଙ୍‌କ୍ତି: ବଡ଼ ଭୋକ ବାବୁ ! /ବଡ଼ ଭୋକ ଆଜି ଖାଇବାକୁ ଦିଅ ଭାତ; / ହକ ପାଉଣା ଗଣ୍ଡାକ ପାଇଁ କେତେବି ପାତିବୁ ହାତ ? ଯେଉଁ ଧାନ ଆମେ ବୁଣିଲୁ କାଟିଲୁ ସେହି ଧାନ ଦିଅ ଆଣି; / ପୀଡ଼ିତ ଆତ୍ମା ଗର୍ଜି ଉଠଇ ଶୁଣ ତା' ବିପୁଳ ବାଣୀ ।’ ‘ପାଣ୍ଡୁଲିପି 'ର ପଶୁ କବିତାରେ ସମାଜର ଐତିହ୍ୟକୁ ଭାଙ୍ଗି ଦେବାକୁ କବି ରାଉତରାୟଙ୍କ ମୁଖ୍ୟ ଲକ୍ଷ୍ୟ । କାରଣ ସମାଜର ନିର୍ଯ୍ୟାତିତ, ଅବହେଳିତ, ସକଳ ପୀଡ଼ା ଏଥିରେ ପଶୁର ବିଗ୍ରହ ଏଥିରେ ଧାରଣ କରିଅଛନ୍ତି । ସମାଜର ପରାଙ୍ଗପୁଷ୍ଟ ଦଳର ଅତ୍ୟାଚାରରେ ଏମାନେ କ୍ଷୁଧିତ, ନିଷ୍ଠୁର, ରୁଚିହୀନ ଓ କ୍ଷିପ୍ତ । ନିଜର ଦାବି ହାସଲ ପାଇଁ ଏମାନେ ଉତ୍‌କ୍ଷିପ୍ତ ଓ ପ୍ରତିହିଂସ୍ର ହୋଇ ଉଠିଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ସେମାନେ ଗୋଟିଏ ବିକ୍ଷୋଭ ଚାହାନ୍ତି -" ଜୀବନ୍ତ ମୋର ସବୁ ଅନୁଭୂତି ଦେଇଥିଲା ପରା ଦଳି/ ପ୍ରତିଶୋଧ ତାର ନବା ପାଇଁ ଆଜି ଆସିଛି ମୁଁ ଅବତରି / ଆଜି ମୁଁ ଆସିଛି ପଶୁ ନିଶାଚର ମଣିଷର ଦାବି ଲାଗି/ ମଣିଷ କବରୁ ଜନ୍ମ ମୋରରେ ଧ୍ୱଂସେ ମୁଁ ଅନୁରାଗୀ ।"

      ତାଙ୍କର ଲୋକପ୍ରିୟ ଶ୍ରେଷ୍ଠ ଅମର ସୃଷ୍ଟି  ‘ଛୋଟ ମୋର ଗାଆଁଟି’ କବି ସଚ୍ଚି଼ିଦାନନ୍ଦଙ୍କର ଏକ କାଳଜୟୀ କବିତା । ଦୀର୍ଘ ଆଠ ଦଶନ୍ଧି ଧରି ଜନ୍ମଭୂମିର ମୁଗ୍ଧ ମହକ ତଥା ଏକାନ୍ତ ଅନ୍ତରଙ୍ଗ ଓ ଜୀବନ୍ତ ଚିତ୍ର ଥିବା, ଭାବ ଓ ଆବେଗର ବିମୁଗ୍ଧ ପ୍ରବାହ ଥିବା, ମାଟିର ସମ୍ମୋହନ ବାସ୍ନାଥିବା ଅନନ୍ୟ ଉଚ୍ଚ଼ାରଣ ଭାବେ ଏହି କବିତାଟି ଅଗଣିତ ପାଠକଙ୍କ ଦ୍ୱାରା  ବେଶ୍‌ ଚର୍ଚ୍ଚିତ ଓ ଆଦୃତ ହୋଇଆସିଛି । ବିଶେଷକରି ଆଧୁନିକ ବିଶ୍ୱ-ମଣିଷ ନିଜ ଜନ୍ମଭୂମି ଓ ମାତୃଭୂମିକୁ ଭୁଲି ପ୍ରବାସୀ ଜୀବନ ଜିଉଁଛି । ପଲ୍ଲୀର ପ୍ରାଣବନ୍ତ ସଶ୍ରଦ୍ଧ କୋମଳ କୋଳକୁ ଧୂସର, କର୍କଶ ଓ ଅପାଂକ୍ତେୟ ମଣିଷ କ୍ରମଶଃ ଭୁଲିଯିବାକୁ ବସିଛି ନିଜ ଗାଁର ବାସ୍ନା । ମାତ୍ର ମଣିଷର ଅସ୍ତିତ୍ୱର କେନ୍ଦ୍ରବିନ୍ଦୁ ଭାବେ ଜନ୍ମଭୂମିର ମହତ୍ତ୍ୱ ଅନନ୍ୟ । ନିଜ ପରିଚୟ ଓ ଅସ୍ମିତାର ଭିତ୍ତି ଭାବେ ଜନ୍ମଭୂମି ପଲ୍ଲୀ ଗାଆଁର ସ୍ଥାନ ଯୁଗେ ଯୁଗେ ଅସାଧାରଣ ମନେହୁଏ । କବି ସଚ୍ଚି଼ିଦାନନ୍ଦ ରାଉତରାୟ ନିଜ ଗାଆଁକୁ କେବଳ ପ୍ରାଣଦେଇ ଭଲ ପାଇନାହାନ୍ତି । ବରଂ ସେ ତାହାର ଏଭଳି ଏକ ମନୋରମ, ଅକୃତ୍ରିମ, ବିମୁଗ୍ଧକର, ଜୀବନ୍ତ ଓ ପାର୍ଥିବୋତ୍ତର ଛବି ଆଙ୍କିଛନ୍ତି , ଯାହାକୁ ଯେ କେହି ପାଠକ ପଢ଼ିବା ପରେ ନିଜ ଗାଆଁକୁ ଝୁରି ହେବ ଓ ତାହା ମଣିଷ ହୃଦୟ ତଟରେ ସ୍ୱର୍ଗଠୁ ସୁନ୍ଦର ଓ ମହାର୍ଘ ପାଲଟି ଯିବ । ଏହି କବିତାରେ ଗ୍ରାମ ଜୀବନର ମନୋରମ ପ୍ରକୃତି ଠାରୁ ଆରମ୍ଭ କରି ଗ୍ରାମର ବିଭିନ୍ନ ବର୍ଗ ଓ ବୃତ୍ତିର ଲୋକଙ୍କ ଜୀବନାଦର୍ଶ ଓ ଜୀବନଯାପନ ଢଙ୍ଗର ପ୍ରାଣବଂତ କଳାତ୍ମକ ଉପସ୍ଥାପନା କବିତାଟିକୁ କରିଛି ଲୋକପ୍ରିୟ ଓ କାଳଜୟୀ । ହୃଦୟକୁ ଆବେଗ ଆପ୍ଳୁତ କରୁଥିବା ଏହା କବିଙ୍କର ଏକ ଅମଳିନ କାବ୍ୟିକ ସ୍ୱାକ୍ଷର । କବିତାଟିର ଭାବ, ଭାଷା, କଳା ଓ କଳ୍ପନା ଅନନ୍ୟ । ସେଭଳି କବିଙ୍କର ସ୍ମରଣୀୟ କବିତା ମଧ୍ୟରୁ ଗୋଟିଏ ରେଙ୍ଗୁନ୍‌ ଯାତ୍ରୀ ଏକ ହୃଦୟସ୍ପର୍ଶୀ ଓ ପ୍ରଭାବଶାଳୀ କବିତା । ଏଥିରେ ଫିରିଙ୍ଗି ଉପନିବେଶକାଳୀନ ପରାଧୀନ ଭାରତବର୍ଷରେ ଗରିବ ଲୋକଙ୍କ ଜୀବନ-ଯୁଦ୍ଧ କେତେ ନିଷ୍ଠୁର, ନିର୍ମମ ଓ କରୁଣ ଥିଲା ତା’ର କଳାତ୍ମକ ସାକ୍ଷ୍ୟ ବହନ କରେ । ଉତ୍କଟ ଦାରଦ୍ର୍ୟର ତାଡନା ମଧ୍ୟରେ ପରିବାରକୁ ବଞ୍ଚାଇ ରଖିବାର ଅନ୍ୟ କୌଣସି ବିକଳ୍ପ ପନ୍ଥା  ନଦେଖି ଆମ ରାଜ୍ୟରୁ ଅନେକ ବ୍ୟକ୍ତି ସକଳ ଅନିଛା ସତ୍ତେ୍ୱ ଘରୁ ଗୋଡ କାଢ଼ି କାଳି ମାଟି, ଚଟ୍ଟ ଗ୍ରାମ ଓ ରେଙ୍ଗୁନରେ ଶ୍ରମିକ ଭାବେ କାମ କରିବାକୁ ଉତ୍ତର଼-ପୂର୍ବମୁହାଁ ହେଉଥିଲେ । ଗରିବ ତା’ ରକ୍ତକୁ ଝାଳ କରି ମାଟିରେ ବୁହାଇ ଚାଲେ, ଭୋକ ଉପାସରେ ଛଟପଟ ହୋଇ ଦିନ କାଟେ । ଭଙ୍ଗା କୁଡିଆ ଓ ଚିରା କପଡାରେ ଜୀବନ ଜିଏଁ । ଶେଷରେ ବାଧ୍ୟ ହୋଇ ତାକୁ ତା' ପ୍ରେମର ସ୍ୱର୍ଗୀୟ ଐଶ୍ୱର୍ଯ୍ୟକୁ ପଛରେ ଛାଡି ସୁଦୂର ରେଙ୍ଗୁନ୍‌ ଯିବାକୁ ପଡିଥାଏ’ । ଶୁଣିଥାଏ ସେ ସେଠି ନଥିବ ଜମିଦାର କି ସାହୁକାରର ନାଲି ଆଖି । ସେଠି ସ୍ୱାଧୀନ ଭାବେ ଝାଳ ନିଗାଡି ନିର୍ଭୟରେ ତା’ର ମୂଲ ପାଇବ । ସେଇଥିରେ ହୁଏତ  ତା’ ପରିବାର ବଞ୍ଚିବାର ରାହା ପାଇବେ । କିନ୍ତୁ ରେଙ୍ଗୁନ୍‌ ଯାଇ ସେଠୁ ଫେରି ପାରିବ କି ନାହିଁ କିଏ ଜାଣେ ?  ପ୍ରିୟ ଗାଆଁ ମାଟିର ବାସ୍ନା , ଯାହାର ପାଣି ଓ ପବନ  ତା' ଦେହରେ ଭରି ହୋଇ ରହିଛି , କେତେ ବାଗରେ ପଛରୁ ଟାଣି ଧରେ । ଡାଳୁଅ ବିଲ, ଗଉଡ ଟୋକାର ଧୁଡୁକା, ପଧାନ ଘର ଗାଈ, ପଥର ଖଣିରୁ ଭାସି ଆସୁଥିବା ଗୀତ । ଏ ସବୁ ମାୟା ତୁଟେଇ ସେ ରେଳଗାଡିର ହୁଇସିଲକୁ କାନ ଡେରେ । ରେଙ୍ଗୁନ୍‌ ଯାତ୍ରୀ ପଲ୍ଲୀବାସୀ ହୃଦୟର ବ୍ୟଥା, ବେଦନା, ଶୂନ୍ୟତା ଓ କାରୁଣ୍ୟକୁ କବି ବ୍ୟତୀତ ପ୍ରାଣସ୍ପର୍ଶୀ ଓ ଜୀବିତ ଭାବେ କବିତାୟିତ କରିଛନ୍ତି । ଏହି କବିତା ଏକାଦିକ୍ରମେ ଅତୀତରେ ଏକ ଐତିହାସିକ ଦଲିଲ୍‌ ଓ ଅନ୍ୟଦିଗରେ ବାସ୍ତବଧର୍ମୀ, ଆବେଗାପ୍ଲୁତ, କଳାତ୍ମକ ସୃଜନଶୀଳତାର ଏକ ଦେଦୀପ୍ୟମାନ ଫର୍ଦ୍ଦ ଅଟେ । ପଦ୍ମଶ୍ରୀ କବି ସଚ୍ଚି଼ି ରାଉତରାୟ ସାଧାରଣ ମଣିଷର କ୍ଷତ- ବିକ୍ଷତ ଜୀବନ ସହିତ ନିଜକୁ ମିଶାଇ ଦେଇ ଗାଇ ଉଠିଛନ୍ତି " ମଣିଷର ଲହୁ ଲୁହେ କବିତା ମୋ ନୀଳ’ । ସେ ହ୍ୱିଟମ୍ୟାନ ସଦୃଶ (ଉକ୍ଟଜ୍ଞକ୍ସବୟର ଗ୍ଧଷସଗ୍ଦ ସଗ୍ଦ ଦ୍ଭକ୍ଟ ଭକ୍ଟକ୍ଟଳ, ଓଲ ଚ୍ଚକ୍ଟଙ୍କ ଗ୍ଧକ୍ଟଙ୍କମଷ ସଗ୍ଧ ଚ୍ଚକ୍ଟଙ୍କ ଙ୍ଗସକ୍ଷକ୍ଷ ଗ୍ଧକ୍ଟଙ୍କମଷ ବ ଜ୍ଞବଦ୍ଭ.) କହି ସେ ଲେଖିଛନ୍ତି " ମୁଁ ସଚ୍ଚି଼ି ରାଉତରାୟ/ ନୁହେଁ ଟାଗୋର ବା ଶେଲୀ/ ମୁଁ ଏକ ମାଟିର ଧରା/ ଆଉ ଆକାଶର କବି -/ କାମ ନୁହେଁ ମୋର ଖାଲି ଆଙ୍କିବା କାଗଜର ଛବି ।’

   ବାସ୍ତବରେ ପଦ୍ମଶ୍ରୀ କବି ସଚ୍ଚି଼ିଦାନନ୍ଦ ସାମ୍ପ୍ରତିକ ଓଡିଆ କବିତାର ସମସ୍ତ ଆଂଶିକ ଆଧୁନିକତାର ପଥିକୃତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡିଆ କବିତାରେ ପାରମ୍ପରିକ ଛନ୍ଦୋବଦ୍ଧାତାର ସମାନ୍ତରାଳ ଭାବେ ମୁକ୍ତ ଛନ୍ଦ ଓ ଗଦ୍ୟଛନ୍ଦର ସେ ପ୍ରବର୍ତ୍ତନ କରନ୍ତି । ଯାହା ଓଡିଆ କବିତାରେ ଅବିଳମ୍ବେ ସାର୍ବଜନୀନ ହୋଇଯାଏ । ଗତାନୁଗତିକ ଉପମା ଓ ବ୍ୟଞ୍ଜନା ପରିବର୍ତ୍ତେ ସୂକ୍ଷ୍ମ ଭାବଗତ ସାଦୃଶ୍ୟକୁ ଆଧାର କରି ଶକ୍ତିଶାଳୀ ଭାବ ପ୍ରବୋଧକ ପ୍ରତୀକ, ଚିତ୍ରକଳ୍ପ, ମିଥ୍‌ ଓ ଆର୍କିଟାଇପ୍‌ ପ୍ରଭୃତି ବ୍ୟବହାରରେ ସେ ହିଁ  ଥିଲେ ଅଗ୍ରଦୂତ । ବିଶେଷ କରି କବିତାର ବିଷୟବସ୍ତୁ ଓ ଆତ୍ମିକ ସ୍ୱରଦୃଷ୍ଟିରୁ ମଧ୍ୟ ସମାଜ ସଚେତନତା, ମାନବବାଦ, ବୈପ୍ଳବିକ ଚେତନା ଓ ବାମପନ୍ଥୀ ସାମ୍ୟବାଦର ପ୍ରାଚୁର୍ଯ୍ୟରେ ଓଡିଆ କବିତାକୁ ସେ ଦେଇଥିଲେ ଏକ ନୂତନ ଉଷ୍ମତା । ସେ ସ୍ୱାଧୀନତା ପରବର୍ତ୍ତୀ  ଓଡିଆ କବିଙ୍କ ପାଇଁ  କାବ୍ୟ-ଗୁରୁ, ମାଟିର ଦ୍ରୋଣ ଥିଲେ । ଏପରିକି ଓଡିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ, ଭାରତୀୟ ଜ୍ଞାନପୀଠ ପ୍ରଭୃତି ବହୁ ସମ୍ଭ୍ରାନ୍ତ ସାହିତ୍ୟିକ ସ୍ୱୀକୃତିରେ ସେ ସମ୍ମାନିତ ହୋଇଛନ୍ତି । ଓଡିଆ କବିତାରେ ନୂତନ ଦୀପ୍ତି ଓ ଦ୍ୟୁତିର କୃତୀ କାରିଗର ପଦ୍ମଶ୍ରୀ ସଚ୍ଚି଼ି ରାଉତରାୟ ଯୁଦ୍ଧର ଏକ ଦୁନ୍ଦୁଭି, ସଂଘର୍ଷର ଉଲକାପିଣ୍ଡ, ବିଦ୍ରୋହର ଅଗ୍ରଦୂତ, ବିପ୍ଳବର ମାଂତ୍ରିକ ଉଚ୍ଚ଼ାରଣ କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ୟଦିଗରେ ମାନବିକ ସମ୍ବେଦନଶୀଳତାର ସେ କୋମଳ ଗାନ୍ଧାର,  ନୂତନ ସର୍ଜନର ସେ ବିଶ୍ୱକର୍ମା । ମାଟି, ମାଆ ଓ ମଣିଷର ସେ ଅନ୍ତରଙ୍ଗ ଆତ୍ମୀୟ ।

    ନିଷ୍କର୍ଷ ଦେଖିବାକୁ ଗଲେ ସେ କେବଳ ଏକାଧାରରେ ଜଣେ କବି ନୁହଁନ୍ତି  , ସେ ପୁଣି ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ସମାଲୋଚକ, ଅନୁବାଦକ ଓ ସମ୍ପାଦକ । ତାଙ୍କର ଗଳ୍ପ ଗ୍ରନ୍ଥ ‘ମଶାଣିର ଫୁଲ’, ‘ମାଟିର ତାଜ’, ‘ମାଙ୍କଡ ଓ ଅନ୍ୟାନ୍ୟ ଗଳ୍ପ’ ପ୍ରଭୃତି । ତାଙ୍କର ଏକମାତ୍ର ଉପନ୍ୟାସ ‘ଚିତ୍ରଗ୍ରୀବ’ । ଏସବୁ ସଂକ୍ଷିପ୍ତତା ଦୃଷ୍ଟିରୁ ବିଚାର କରିବା ସମ୍ଭବ ନୁହେଁ । ତଥାପି ଯୁଗର ସାହିତ୍ୟ କ୍ଷେତ୍ରରେ ଏକ ଆତ୍ମିକ ଭାବ, ବ୍ୟାପକ କବିତ୍ୱ ଓ ଉନ୍ନତ ଚିନ୍ତାଧାରା ଶିଳ୍ପୀ ସଚ୍ଚି଼ିଦାନନ୍ଦ ରାଉତରାୟଙ୍କୁ ସାହିତ୍ୟିକ ବିଶ୍ୱାବସୁରେ ପରିଣତ କରିଦେଛି । ଏହି  ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କୁଳବୃଦ୍ଧ କବି ଓଡିଆ କାବ୍ୟ କବିତାକୁ ଯେଉଁ ନୂତନ ଧାରା ଦେଇଯାଇଛନ୍ତି ଏ ଯାବତ୍‌ ତାର ମୁଦ୍ରାଙ୍କ ସ୍ପଷ୍ଟ ଓ ଅନନ୍ୟ..!!!

ଦୂରଭାଷ : ୯୦୪୦ ୧୫୧୪୭୫