ଡିଜିପିଙ୍କୁ ଭେଟିଲେ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ଏଡ଼ିଜି

ଭୁବନେଶ୍ୱର, ୨୪ା୧ : ଆଜି ତଥା ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଡ଼ିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହା ସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା ।
ଏହା ସହ ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହ ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡ଼ିଶା ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଛି । ଆଗାମି ଦିନରେ ତଟ ସୁରକ୍ଷା ଏବଂ ଓଡ଼ିଶା ପୁଲିସର ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ବୋର୍ଡ ଗଠନ କରାଯିବ । ଏହି ଦୁଇ ବିଭାଗର ଅଧିକାରୀମାନେ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ ଏବଂ ସେମାନଙ୍କ ରିପୋର୍ଟ ଅନୁଯାୟୀ ମେରାଇନ ଥାନା ଗୁଡ଼ିକୁ ବୋଟ ଯୋଗାଇଦିଆଯିବ ବୋଲି ଡ଼ିଜିପି ସୂଚନା ଦେଇଛନ୍ତି ।
ଏହା ସହ ତଟ ସୁରକ୍ଷା ବାହିନୀ ଏବଂ ଭାରତୀୟ ନୌ ବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଯବାନମାନଙ୍କୁ ଆଗାମୀ ଦିନରେ ମେରାଇନ ଥାନା ଗୁଡ଼ିକରେ ନିଯୁକ୍ତି ଦିଆଯିବ । ଓଡ଼ିଶା ପୁଲିସ ଏବଂ ତଟ ସୁରକ୍ଷା ସହ ଯେଉଁ ସମ୍ପର୍କ ସ୍ଥାପନ ହୋଇଛି, ତାହା ଦୀର୍ଘସ୍ଥାୟୀ ରଖିବାକୁ ସବୁବେଳେ ଉଦ୍ୟମ ଜାରି ରହିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।