ଡିଭାଇଡରକୁ ଧକ୍କା ଦେଲା କାର : ସ୍ତ୍ରୀ ମୃତ, ସ୍ୱାମୀ ଓ ଚାଳକ ଗୁରୁତର
ବାଲିଅନ୍ତା : ପଶ୍ଚିମବଙ୍ଗରୁ ଆସିଥିବା ଏକ କାର ଦୁର୍ଘଟଣା ହେବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତୁ୍ୟ ହୋଇଥିବା ବେଳେ ସ୍ୱାମୀ ଓ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମୃତାହତଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଖବରବେଳେ ଜଣାପଡିଛି ଭୁବନେଶ୍ୱର-ପୂରୀ ଜାତୀୟ ରାଜପଥ କେଇସି କଲେଜ ନିକଟରେ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରେ ଚାଳକ ସମେତ ଦମ୍ପତି ପୂରୀ ଯାଉଥିଲେ । ଭୋର ପ୍ରାୟ ସାଢେ ୪ଟାରେ କାରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରରେ ଧକ୍କା ଦେଇଥିଲା । ଫଳରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ, ଚାଳକ ଓ ଦମ୍ପତି ଚିପି ହୋଇ ରହିଥିଲେ । ସକାଳେ ପ୍ରାତଃଭ୍ରମଣ କରୁଥିବା ଲୋକେ ଘଟଣା ଦେଖି ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାରରୁ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଜଧାନୀ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପତ୍ନୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀ ଓ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।