ଭାରତ-ଆମେରିକା ବାଣିଜ୍ୟ ଆଲୋଚନା : ଆମେ ବନ୍ଧୁକମୁନରେ ଡିଲ୍ କରୁନାହୁଁ: ପିୟୁଷ

 ଭୁବନେଶ୍ୱର :  ଆମେରିକାର ଶୁଳ୍କ ନୀତି ଏବେ ସାରା ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିଛି । ଏହାରି ମଧ୍ୟରେ ଆମେରିକା ବହୁ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ (ପାରସ୍ପରିକ ଶୁଳ୍କ) ଲଗାଇଥିବା ବେଳେ ଏହାକୁ ହ୍ରାସ କରିବା ନିମନ୍ତେ ବହୁ ଦେଶ ଟ୍ରମ୍ପ୍ଙ୍କୁ ଭେଟି ଗୁହାରି କରିଛନ୍ତି । କିନ୍ତୁ ଶୁଳ୍କ କମ୍ କରିବା ସମ୍ପର୍କରେ ଟ୍ରମ୍ପ୍ କୌଣସି ବି ଆଲୋଚନା କରାଯିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି । ଏହିକ୍ରମରେ ଭାରତ ଉପରେ ମଧ୍ୟ ୨୬ % ଶୁଳ୍କ ଲାଗୁ କରିଛି ଆମେରିକା । ଟ୍ରମ୍ପ୍ ଭାରତ ଉପରେ ଲଗାଇଥିବା ଶୁଳ୍କକୁ ନେଇ ଦେଶର ଅର୍ଥନୀତିରେ କି ପ୍ରଭାବ ପଡ଼ିବ ସେ ଉପରେ ନିଜର ମତାମତ ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମେରିକା ସହ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ବୁଝାମଣା (ବିଟିଏ) ଉପରେ ଆଲୋଚନା ସମୟରେ ଭାରତ ସରାକାର ଦେଶ ତଥା ଜନତାଙ୍କ ହିତକୁ ଧ୍ୟାନ ଦେବେ । ବର୍ତ୍ତମାନ ଲାଗି ରହିଥିବା ସ୍ଥିତିକୁ ଦେଖି ତରବରିଆ ଭାବରେ କୌଣସି ପଦକ୍ଷେପ ନେବା ଉଚିତ ହେବ ନାହିଁ । ସେ କହିଛନ୍ତି ବର୍ତ୍ତମାନ ଦେଶର ସବୁ ବ୍ୟବସାୟିକ ଆଲୋଚନା ‘ଭାରତ ପ୍ରଥମେ’ ଦୃଷ୍ଟିକୋଣ ଅନୁଯାୟୀ ଉତ୍ତମ ଭାବରେ ଆଗକୁ ବଢ଼ୁଛି ଏବଂ ‘ବିକଶିତ ଭାରତ ୨୦୪୭’ ପାଇଁ ରାସ୍ତା ପ୍ରଶସ୍ତ କରୁଛି । ଭାରତ- ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ନୀତିର ଅଗ୍ରଗତି ଉପରେ କହିଛନ୍ତି । ‘ଆମେ ପୂର୍ବରୁ ମଧ୍ୟ ଅନେକ ଥର କହିଛୁ ଯେ, ବନ୍ଧୁକ ମୁନରେ ଆମେ କଥାବାର୍ତ୍ତା କରନାହୁଁ । ସମୟ ଅନୁଯାୟୀ କାମ କରିବା ଭଲ । କିନ୍ତୁ ଯଦି ଦେଶର ହିତ ଏବଂ ଜନହିତ କଥା ଉଠେ ତେବେ ତରବରିଆ ଭାବରେ କାମ କରିବା ଠିକ୍ ନୁହେଁ ।’ 
ସୂଚନାଥାଉକି, ଦୁଇ ଦେଶ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବୁଝାମଣାର ପ୍ରଥମ ପର୍ଯ୍ୟାୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ବୁଝାମଣାର ଉଦେ୍ଦଶ୍ୟ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ବଢ଼ାଇବ । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ୧୯୧ ବିଲିୟନ ଆମେରିକା ଡଲାର ରହିଛି ।