ଡୁ୍ୟଟିରେ ପୁଲିସ ବାବୁ ପିଉଛନ୍ତି ମଦ
କପ୍ତିପଦା: ଡୁ୍ୟଟିରେ ଥିବା ସମୟରେ ପୁଲିସ ବାବୁ ପିଉଛନ୍ତି ମଦ । ତାହା ପୁଣି ବିଦେଶୀ ମଦ । ପୁଲିସ ବାବୁଙ୍କ ଏଭଳି ଖାକି ପୋଷାକରେ ମଦ ପିଇବାର ଭିଡିଓ ଓ ଫୋଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏ ପୁଲିସ ବାବୁ ଜଣକ ହେଲେ କପ୍ତିପଦା ଥାନାର ଏଏସଆଇ ମିତ୍ରଭାନୁ ବାରିକ । ଭାଇରାଲ ହେଉଥିବା ଫୋଟୋରେ ଏହି ଏଏସଆଇ ଜଣକ ପୁଲିସ ପୋଷାକରେ ଥାଇ ମଦ ପିଉଥିବା ଦେଖାଯାଇଛି । ଏହି ଭାଇରାଲ ଭିଡିଓଟି ପ୍ରାୟ ୯ ରୁ ୧୦ ଦିନ ପୂର୍ବର ବୋଲି କୁହାଯାଉଛି । ଏକ ଗ୍ରାମକୁ କୌଣସି କାମରେ ଯାଇଥିବା ସମୟରେ ଏକ ଭଙ୍ଗା ଘର ଭିତରେ ପଶି ଟ୍ରଲି ଉପରେ ମଦ ଗ୍ଲାସ ରଖି ପୁଲିସ ପୋଷାକରେ ଥାଇ ସେ ମଦ ପିଇଥିବା ଜଣାପଡିଛି । ତେବେ ଜଣେ ପୁଲିସ ବାବୁ ଏମିତି ଖାକିରେ ଥାଇ ମଦ ପିଇବା ଘଟଣାକୁ ସମସ୍ତେ ନିନ୍ଦା କରିଥିବା ବେଳେ ଘଟଣା ବାବଦରେ ସଂପୃକ୍ତ ଏଏସଆଇ ମିତ୍ରଭାନୁ ବାରିକଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ସୁଦ୍ଧା ସେ ଏପରି କରିନଥିବା କହିଛନ୍ତି । ଅନ୍ୟପଟେ ଘଟଣା ବାବଦରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ କପ୍ତିପଦା ଉପଖଣ୍ଡ ପୋଲିସ୍ ଅଧିକାରୀ ନାରାଜ ।