ମଙ୍ଗଳା ମନ୍ଦିର ଗୁମୁଟରୁ ଝରୁଛି ପାଣି : ଘୋଷଣାରେ ଅଟକିଛି ସୌନ୍ଦର୍ଯ୍ୟକରଣ କାମ

 କାକଟପୁର,: ରାଜ୍ୟର ପ୍ରତିଷ୍ଠିତ ମନ୍ଦିର ଭାବେ ପରିଚିତ ମଙ୍ଗଳା ମନ୍ଦିର ସ୍ଥିତି ଏବେ ବେହାଲ ହୋଇପଡିଛି । ଚାରି ଦ୍ୱାର ମଧ୍ୟରୁ ପୂର୍ବ ଓ ଉତ୍ତର ଦ୍ୱାର ଗୁମୁଟରୁ ବର୍ଷା ହେଲେ ଅହରହ ପାଣି ଗଳୁଥିବାବେଳେ ଏହାର ମରାମତି କାର୍ଯ୍ୟ ହୋଇପାରୁନାହିଁ । ସରକାର ପରେ ସରକାର ଆସୁଥିବାବେଳେ ପୂର୍ବ ସରକାରଙ୍କ ସମୟରେ ଦଶ କୋଟି ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ହେଉଥିଲେ ମଧ୍ୟ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ପୂର୍ଣ କାର୍ଯ୍ୟ ସାରିବାକୁ ୨୨ କୋଟିରୁ ଉର୍ଦ୍ଧ ଟଙ୍କା ଅନୁଦାନ ଘୋଷଣା କେବଳ କଥାରେ ସୀମିତ ରହିଯାଇଛି । ମନ୍ଦିରର ଚତୁଃପାର୍ଶ୍ୱ ଉତ୍ତର ଓ ପୂର୍ବଦ୍ୱାରର ଗୁମୁଟରୁ ପାଣି ଝରି ଖାଇଯାଇଥିବାବେଳେ ଏହା ଭୁଶୁଡିବା ଆଶଙ୍କା ସୃଷ୍ଟି କରିଛି । ଷଷ୍ଠ ଶତାବ୍ଦୀର ଏହି ପୁରାତନ ମନ୍ଦିରର ଚାରି ଦ୍ୱାରକୁ ଯଦି ଯୁଦ୍ଧ କାଳୀନ ଭିତ୍ତିରେ ଯଦି କାର୍ଯ୍ୟ କରାନଯାଏ ତାହେଲେ ଏହା ଭୁଶୁଡି ଯିବ ବୋଲି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର ପ୍ରକାଶ କରିଛନ୍ତି । ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅପେକ୍ଷା ଦ୍ୱାର ଗୁଡିକର ଭିତ୍ତିଭୂମି ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡିଥିବା ସେବାୟତ ନିଯୋଗର ସଭାପତି ମନୋରଞ୍ଜନ ପଣ୍ଡା କ୍ଷୋଭର ସହ ପ୍ରକାଶ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ଗୁମୁଟ ଗୁଡିକର ମରାମତି କରିବା ପାଇଁ ସେବାୟତ ନିଯୋଗ ପକ୍ଷରୁ ଦୃଢ଼ ଦାବି ହୋଇଛି ।