ମେଗା ପାନୀୟ ଜଳ ପ୍ରକଳ୍ପ:  ସ୍ଥିତି ନେଇ ଗଣେଶ୍ୱରଙ୍କ ପ୍ରଶ୍ନ  

 କେନ୍ଦ୍ରାପଡା : କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାୟକ ଶ୍ରୀ ବେହେରାଙ୍କ ପ୍ରଶ୍ନର ଲିଖିତ ଉତର ଦେଇ ୬ଟି ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ଜିଲ୍ଲାର ୭ଗୋଟି ବ୍ଲକରେ ୬ଗୋଟି ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଯାଇ କାର୍ଯ୍ୟ ଚାଲୁ ରହିଛି । ଆଳିରେ କାର୍ଯ୍ୟକାରୀ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଟି ପ୍ରାୟ ୭୧% କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ୨୦୨୫ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଏହିଭଳି ଗରଦପୁର ୫୪% କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ, ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଅବଶିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଜଣାପଡିଛି । ସେହିଭଳି ମହାକାଳପଡା ଓ ମାର୍ଶାଘାଇ ବ୍ଲକରେ ଆରମ୍ଭ ହୋଇଥିବା ପ୍ରକଳ୍ପଟି ୮୫% ହୋଇଥିବା ବେଳେ, ୨୦୨୫ ମାର୍ଚ୍ଚ ସୁଦ୍ଧା ଏହା ସଂପୂର୍ଣ୍ଣ ହୋଇଯିବ । ସେହିଭଳି ପଟ୍ଟାମୁଣ୍ଡାଇ ୪୯%, ରାଜକନିକା ୭୦% ଓ ରାଜନଗର ୫୧% କାମ କରାଯାଇଛି । ଅବଶିଷ୍ଟ କାର୍ଯ୍ୟ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଉତର ଦେଇଥିବା ଜଣାପଡିଛି । ତେବେ ବିଧାୟକ ଶ୍ରୀ ଗଣେଶ୍ୱର ନିଜ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସକ୍ରୀୟତା ଦେଖାଉ ଥିବାରୁ ସାଧାରଣରେ ପ୍ରଶଂସା କରାଯାଉଛି ।