ଡ୍ରେନେଜ୍ ବ୍ୟବସ୍ଥା ନାହିଁ : ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି
ତାଳଚେର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ତାଳଚେର । ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସାମନ୍ୟ ବର୍ଷାରେ ମୁଖ୍ୟ ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବାବେଳେ ବାଇପାସ୍ ରାସ୍ତାର ଉଭୟପାଶ୍ୱର୍ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମଳିଥିଲା । ଫଳରେ ଲୋକମାନେ ଯାତାୟତ ପାଇଁ ନାନାଦି ଅସୁବିଧାର ସମ୍ମୁଖିନ ହେଉଥିଲେ । ପାଣି କାଦୁଅରୁ ବସ୍ତ୍ର, ପୋଷାକ ସୁରକ୍ଷା ଦେବା ନେଇ ପଥଚାରୀମାନେ ଗୋଡ଼ ଟେକି ଟେକି ଯାଉଥିବା ଦୃଶ୍ୟ ମଧ୍ୟ ପରିଲକ୍ଷିତ ହୋଇଥିଲା । ବାଇପାସ୍ ଟ୍ରାଫିକ ଛକ ରାସ୍ତା ଓ ନିକଟରେ ରହିଥିବା ୟୁକୋବ୍ୟାଙ୍କ ସମ୍ମୁଖ ରାସ୍ତା ସାମାନ୍ୟ ବର୍ଷାରେ ଯେମିତି କୁତ୍ରିମ ହ୍ରଦରେ ପରିଣତ ହେଉଛି ବୋଲି ସେହି ନିକଟସ୍ଥ ମାର୍କେଟ ବ୍ୟବସାୟୀମାନେ ପ୍ରକାଶ କରୁଛନ୍ତି । ଅସାରାଏ ବର୍ଷାରେ ଯଦି ଅବସ୍ଥା ବେହାଲ ହୁଏ ତେବେ ବର୍ଷାଋତୁରେ କ’ଣ ହେବ । କୁହାଯାଉଛି କି ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ଉପୁଜୁଛି । ତେଣୁ ବର୍ଷାଋତୁର ଆଗମନ ପୂର୍ବରୁ ଏହାର ପ୍ରତିକାର କରିବା ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।