ଢେଙ୍କାନାଳ କପ୍ କ୍ରିକେଟ ଉଦ୍ୟାପିତ : କଟକର ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିଅନ୍
ଢେଙ୍କାନାଳ : ଢେଙ୍କନାଳର ପ୍ରୟାସ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଷ୍ଟାଡିୟମ୍ ଠାରେ ଗତ ୧୬ ତାରିଖ ଠାରୁ ଅନୁଷ୍ଠିତ ହେଉଥିବା ପ୍ରଥମ ସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କଟକର ସୋଲାର କ୍ଲବକୁ ୬ ୱିକେଟରେ ହରାଇ କଟକର ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପ୍ରଥମ ବର୍ଷର ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚରେ ଟସ୍ ହାରି ସୋଲାର ଦଳ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ୧୩୫ରନ କରି ଦଳର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ । ଜବାବରେ ରାଇଜିଂ ଷ୍ଟୁଡେଣ୍ଟ ଦଳ ୧୮.୧ ଓଭରରେ ୪ ୱିକେଟ ହରାଇ ୧୩୯ରନ ସଂଗ୍ରହ କରି ବିଜୟୀ ହୋଇ ଚାମ୍ପିଅନ ହୋଇଥିଲେ । ଏହି ମ୍ୟାଚକୁ ଅମ୍ପାୟାର ଆଶୁତୋଷ ପାଣି ଓ ସମରେନ୍ଦ୍ର ପାତ୍ର ପରିଚାଳନା କରିଥିଲେ । ରଶ୍ମୀ ରଞ୍ଜନ ମଲ୍ଲ ସ୍କୋରର ରହିଥିବାବେଳେ ସନ୍ଦିପ ପଣ୍ଡା ଧାରା ବିବରଣୀ ପ୍ରଦାନ କରିିଥିଲେ । ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଚାମ୍ପିୟନ ରାଇଜିଂ ଷ୍ଟୁଡେଣ୍ଟ ଦଳକୁ କପ୍ ସହ ୧ଲକ୍ଷ ଟଙ୍କା ନଗଦ ଅର୍ଥ ଓ ଦୁଇଗ୍ରାମ ସୁନା କଏନ୍ ପ୍ରଦାନ କରିଥିବା ବେଳେ ରନର୍ସଅପ ସୋଲାର ଦଳକୁ କପ୍ ସହ ୭୫ହଜାର ନଗଦ ଅର୍ଥ ପୁରସ୍କୃତ କରିଥିଲେ । ସେହିପରି ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ରାଇଜିଂ ଷ୍ଟୁଡେଂଟ ଦଳର ରାଜେଶ ଧୁପର ଓ ମ୍ୟାନ ଅଫି ସିରିଜ ଭାବେ ସୋଲାର ଦଳର ସମ୍ବିତ୍ ବେଜ୍ ପୁରସ୍କୃତ ହୋଇଥିଲେ । ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷ କାଳନ୍ଦି ବାରିକ, ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ମିଳିତବଜାର ପୂଜା କମିଟି ସଭାପତି ରାମଚନ୍ଦ୍ର ପାତ୍ର, ଶ୍ରୀଗଣେଶ ଜୁଏଲାର୍ସର ପ୍ରୋପ୍ରାଇଟର ରାଜେଶ ସୋନି, ଭାଜପା ମିିଡିଆସେଲ ପ୍ରଭାରୀ ନବକିଶୋର ଗୁରୁ, ବିଷ୍ଣୁ ଚରଣ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାକୁ ପ୍ରାୟସ ଅନୁଷ୍ଠାନ ପକ୍ଷରୁ ମହାଦୀପ୍ ଯଶୋବନ୍ତ ମହିମା, ରଣଜିତ ବିଶାଲ, ଧ୍ରୁବଚରଣ ସ୍ୱାଇଁ, ସୁଚିତ୍ର ବେହେରା, ଅଭିଜିତ ମିଶ୍ର, ତନ୍ମୟ ମହାନ୍ତି, ଅମୀୟ ସାହୁ, ଦୀପକ କୁମାର ସାହୁ, ଅଭିମନୁ୍ୟ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।