ଓମ୍ଫେଡ୍ କ୍ଷୀର ଚାଷୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର : ୪ଦିନରେ ଲକ୍ଷାଧିକ ଟଙ୍କାର କ୍ଷୀର ନଷ୍ଟ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତରାସାହି ଗ୍ରାମରେ ଓମ୍ପେଡ୍ ଦ୍ୱାରା ପରିଚାଳିତ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ, ଉପ-ଜିଲ୍ଲାପାଳ, ତହସିଲଦାର, ଥାନାଅଧିକାରୀଙ୍କ ମିଳିତ ଚଢ଼ଉ କରାଯାଇଥିଲା । ସମବାୟ ସମ୍ପାଦକଙ୍କ ଅନୁପସ୍ଥିତରେ ଚଢ଼ଉ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ଦୁଗ୍ଧଚାଷୀ । ଗତ ୪ଦିନ ଧରି ସମସ୍ତ ଚାଷୀଙ୍କ କ୍ଷୀର ନଷ୍ଟ ହେବାରୁ ତାତିଛନ୍ତି ଚାଷୀ । କ୍ଷୀର ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସୂଚନାମୁତାବକ ଗତ ୬ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତରାସାହିର ଏକ ଓମ୍ଫେଡ୍ ସୋସାଇଟିକୁ ଯାଞ୍ଚ କରାଯାଇ କ୍ଷୀର ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସଂପୃକ୍ତ ସୋସାଇଟିର କ୍ଷୀରକୁ ଆମ୍ବଶାଳ ଓମ୍ଫେଡ୍ କେନ୍ଦ୍ର ଗ୍ରହଣ ନ କରିବାକୁ ନେଇ ଦୁଗ୍ଧ ଚାଷୀଙ୍କ ମହଲରେ ଉଦ୍ବେଗ ପ୍ରକାଶ ପାଉଛି । ସେହି ପଞ୍ଚାୟତର ସରପଞ୍ଚ ରାଜକିଶୋର ବେହେରାଙ୍କ ନାମରେ ଛତରାଇ ସୋସାଇଟିର କ୍ଷୀର ଚାଷୀ ବାଲିକୁଦା ଥାନାରେ ବେନାମୀ କ୍ଷୀର ବ୍ୟବସାୟ, ସୋସାଇଟିରୁ ବାକିରେ କ୍ଷୀର ନେଇ ବାକି ପଇସା ନ ଦେବାରୁ ଲିଖିତ ଅଭିଯୋଗ କରାଯାଇଛି । ସରପଞ୍ଚ ଶ୍ରୀ ବେହେରାଙ୍କୁ ବାକି ପଇସା ମାଗିବାରୁ ସରପଞ୍ଚ ଛତରାଇ କ୍ଷୀର ସୋସାଇଟିରେ ଅପମିଶ୍ରଣ କ୍ଷୀର ମିଶୁଥିବା ନେଇ ପ୍ରଘଟ କରିଥିଲେ । ଯାହାଫଳରେ ଛତରାଇ ସୋସାଇଟିର କ୍ଷୀର ଚାଷୀଙ୍କ କ୍ଷୀର ଆମ୍ବଶାଳା ଓମ୍ଫେଡ୍ ନେବା ପାଇଁ ମନା କରିଦେଇଥିଲା । ଯାହାଦ୍ୱାରା ଚାଷୀମାନଙ୍କର ଶହଶହ ଲିଟର କ୍ଷୀର ନଷ୍ଟ ହେଉଛି । ଫଳରେ ସୋସାଇଟିର ଦୁଗ୍ଧ ଚାଷୀମାନେ ଜିଲ୍ଲାପାଳ ଜେ.ସୋନାଲଙ୍କୁ ସାକ୍ଷାତ କରିବା ସହ ସମସ୍ୟାର ସମାଧାନ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇଙ୍କୁ ଖୁବଶୀଘ୍ର ସମାଧାନର ବାଟ ବାହାର କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଦୁଗ୍ଧ ଚାଷୀଙ୍କ ସହିତ ଉପଜିଲ୍ଲାପାଳ ଆଲୋଚନା କରିବା ସହ ଆସନ୍ତା କାଲି ସାମାଧାନର ବାଟ ବାହାର କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ସମାଧାନ ନ ହୁଏ ତେବେ ଦୁଗ୍ଧ ଚାଷୀପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଜଣାଇଛନ୍ତି ।