ତେଜୁଛି ଗୋଷ୍ଠୀ ଉତ୍ତେଜନା, ଥାନା ଘେରାଉ କଲେ ମହିଳା

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଗତ କିଛିମାସ ହେବ ଗୋଚାଲାଣ ଓ ବାଲିଘାଟକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଆଜି ଉଗ୍ର ରୁପ ଧାରଣ କରିଛି । ଆଜି ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣରେ ଆଉ ଏକ ଗୋଷ୍ଠୀର ୩ ଜଣ ଆହତ ହେବା ପରେ ଏହି ଗୋଷ୍ଠୀର ମହିଳାଙ୍କ ସମେତ ସତାଧିକ ଲୋକ ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ଥାନା ଘେରାଉ କରିଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ପଟ୍ଟାମୁଣ୍ଡାଇ ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସଂନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଶାନ୍ତିକମିଟି ବୈଠକକୁ ବାତିଲ କରିଦିଆଯାଇଛି । ଗତ ୨୭ ତାରିଖ ଦିନ ପଟ୍ଟାମୁଣ୍ଡାଇ ମେଡିକାଲ ଭିତରେ ହୋଇଥିବା ଗଣ୍ଡଗୋଳ ପାଇଁ ଆଜି ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି । ଆଜି ପାଖାପାଖି ଦିନ ୧୧ଟା ସମୟରେ କେତେକ ଯୁବକ ସଂଗଠିତ ହୋଇ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ବଙ୍ଗାଳିଦଆ ପୋଲ, ବକ୍ତାରପୁର ଛକ, ତାତନା ସ୍ମାଟ ପାର୍କ ନିକଟରେ ୩ ଜଣ ଯୁକକଙ୍କୁ ଆକ୍ରମଣ କରିଥିଲେ । ଆହତ ମାନେ ହେଲେ ସେକ ମୁସ୍ତାକ, ମହମଦ ତାକିବ, ସେକ ସୁଜଲ । ଏହି ଘଟଣା ପରେ ଶତାଧିକ ମହିଳାଙ୍କ ସମେତ ଲୋକମାନେ ଥାନାରେ ପହଞ୍ଚି ଧାରଣା ଦେବା ସହ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଥିଲେ । ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା, ଆଇଆଇସି ବନ୍ଦନା ପାତ୍ର ଧାରଣା ଦେଇଥିବା ଲୋକମାନଙ୍କ ସହ ଆଲୋଚନା କରି ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ପ୍ରତିଶୃତି ଦେବା ପରେ ଧାରଣା ସ୍ଥଳରୁ ଲୋକମାନେ ଉଠିଥିଲେ ।