ଥମିବାର ନାଁ ଧରୁନି ଝାଡ଼ାବାନ୍ତି : ହଜାରେ ଆକ୍ରାନ୍ତକୁ ୧୦ ମୃତୁ୍ୟ

 ଯାଜପୁର/ଯାଜପୁର ଟାଉନ : ଥମିବାର ନାଁ ଧରୁନି ଝାଡ଼ାବାନ୍ତି ରୋଗ । ଯାଜପୁର, ବ୍ୟାସନଗର, କୋରେଇ, ଦାନଗଦୀ ଏବଂ ଧର୍ମଶାଳା ବ୍ଲକରୁ ଆଜିବି ଶତାଧିକ ରୋଗୀ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏକାଧିକଙ୍କୁ ସୁସ୍ଥ ହେବା ପରେ ଛାଡ଼ି ଦିଆଯାଇଥିବା ବେଳେ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଆଜିର ସଂକ୍ରମଣ ସଂଖ୍ୟା କମ ଥିବାରୁ ଆସ୍ୱସ୍ଥି ପ୍ରକାଶ କରୁଛି ସତ କିନ୍ତୁ ରୋଗୀଙ୍କ ସଂଖ୍ୟା ବଢିବାର ଆଶଙ୍କାକୁ ଏଡ଼େଇ ଦେଇହେବନି । ଝାଡ଼ାବାନ୍ତିରେ ଗଲା ୩ଦିନ ଭିତରେ ହଜାରରୁ ଅଧିକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ସେଥି ମଧ୍ୟରୁ ୫ଜଣଙ୍କ ମୃତୁ୍ୟ ଘଟିଛି ବୋଲି ରିପୋର୍ଟରେ ଦର୍ଶାଉଛନ୍ତି । 
କିନ୍ତୁ ବେସରକାରୀ ଭାବେ ଏହାର ସଂଖ୍ୟା ଡ଼ବଲ  ୧୦ରେ ପହଁଚିଛି । ସରକାରୀ ଭାବେ ଯାଜପୁର ମେଡ଼ିକାଲରେ ଦୁଇଜଣ, ଦାନଗଦୀରୁ ଦୁଇଜଣ, ଯାଜପୁର ରୋଡ଼ରୁ ଜଣେ ବୋଲି କୁହାଯାଇଛି । ଯଦି ସରକାରୀ ସୂଚନାକୁ ସତ ବୋଲି କୁହାଯାଏ,ତେବେ ଅନ୍ୟ ପାଞ୍ଚଜଣଙ୍କ ମୃତୁ୍ୟ କେଉଁପରି ହେଲା, ତାହା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ବୁଧବାର ସୁଧା ୮ଜଣଙ୍କର ଝଡବାନ୍ତିରେ ମୃତୁ୍ୟ ଘଟିଥିବା ବେଳେ ଗୁରୁବାର ୨ଜଣଙ୍କର ମୃତୁ୍ୟ ଘଟିଛି । ଗୁରୁବାର ଚିକିତ୍ସାଧିନ ଅବସ୍ଥାରେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଚିତାଳୋ ପଂଚାୟତ ଅଧିନସ୍ଥ ଝାଡଙ୍ଗା ଗ୍ରାମର ସୁରେଶ ଦାସଙ୍କ ପତ୍ନୀ ପବିତ୍ରା (୪୬) ଏବଂ ଯଜପୁର ବ୍ଲକ୍ ଭୁଇଁପୁର ପଞ୍ଚାୟତର ମିଟୁଅଣି ଗ୍ରାମର କିର୍ତ୍ତନ ବେହରାଙ୍କ ପତ୍ନୀ ସେବତୀଙ୍କ (୭୫)ଙ୍କ ମୃତୁ୍ୟ ଘଟିଛି ।ଝାଡ଼ାବାନ୍ତି ବ୍ୟାପିବା ପରେ ଗଲାକାଲି ଆରଡ଼ିସି ଜିଲାରେ ପହଁଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱଥି ଏସ୍ ଯାଜପୁରରେ ପହଁଚି ସମୀକ୍ଷା କରିଥିଲେ । ହଠାତ୍ ଦେଖା ଦେଇଥିବା ରୋଗ ଏବଂ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଏବଂ କେଉଁ କାରଣରୁ ଡାଇରିଆ ବ୍ୟାପିଛି ସେ ସମ୍ପର୍କରେ ପ୍ରଶାସନର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସମୀକ୍ଷାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ପ୍ରକାଶ ଚନ୍ଦ୍ର ବଳ, ଅଧ୍ୟକ୍ଷ ତଥା ଡିନ୍ ମହାରାଜା ଯଜାତି କେଶରୀ ମେଡିକାଲ କଲେଜ୍ ଡ଼ା. ସୀତାରାମ ମହାପାତ୍ର ସୁପରିଟେଣ୍ଡେଣ୍ଟ ମନୋରମା ସ୍ୱାଇଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କର୍ମକର୍ତ୍ତା, ପାନୀୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ୱଥି ଏସ କହିଲେ ଯେ, ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପୁଥିବାରୁ ଆମେ ରାଜ୍ୟସ୍ତରୀୟ ଟିମ୍ ନିୟୋଜିତ କରିଥିଲୁ । ରାଜ୍ୟସ୍ତରୀୟ ଟିମ୍ରେ ଏସ.ସି.ବିର ଡାକ୍ତର ଏବଂ ଅନ୍ୟ କର୍ମଚାରୀ  ସାମିଲ ଅଛନ୍ତି । ତାହା ସହିତ ଡାଇରିଆ ବ୍ୟାପୁଥିବାର କାରଣ ଭଲ ଭାବରେ ଜାଣିବା ପାଇଁ ଆଉ ଗୋଟେ ବିଶେଷଜ୍ଞ ଦଳ ପହଁଚିଛନ୍ତି । ସକାଳ ଠାରୁ ଯାଜପୁର ଜିଲ୍ଲାର କିଛି ଗ୍ରାମ ଏବଂ ପଞ୍ଚାୟତ ପରିଦର୍ଶନ କରି ସେଠାକାର ସ୍ୱାସ୍ଥ୍ୟ ସୁବିଧା ବିଷୟରେ ପଚାରି ବୁଝିଛନ୍ତି । ଟିମ୍ କାଲି ମଧ୍ୟ ଯାଇ ସେଠାକାର ସ୍ୱାସ୍ଥ୍ୟ ସୁବିଧା ବିଷୟରେ ତଦନ୍ତ କରିବେ । ସ୍ୱାସ୍ଥ୍ୟ ସଚିବ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସଚିବ କହିଥିଲେ କି ଆରମ୍ଭରୁ ୬୨୨ ଜଣ ଡାଇରିଆ ରୋଗୀ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ୩୦୩ ଜଣ ରୋଗୀ ନୂଆ ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ୩୭ ଜଣ ଡାଇରିଆ ରୋଗୀ ଭର୍ତି ହୋଇଛନ୍ତି । ବର୍ତ୍ତମାନ ୨୮୫ ଜଣ ଡାଇରିଆ ରୋଗୀ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାର ଯେଉଁ ସମ୍ବେଦନଶୀଳ ଅଞ୍ଚଳର ଲୋକମାନେ ଚିକିତ୍ସାଳୟରେ ପହଁଚି ପାରୁ ନାହାନ୍ତି ସେମାନଙ୍କ ପାଖକୁ ମୋବାଇଲ ହେଲଥ ୟୁନିଟକୁ ପଠାଇବାର ବ୍ୟବସ୍ଥା କରାଯାଇଛି । ମୋବାଇଲ ହେଲଥ ୟୁନିଟ କାଲି ସକାଳ ଠାରୁ ସମ୍ବେଦନଶୀଳ ଅଞ୍ଚଳରେ ଥିବା ରୋଗୀଙ୍କୁ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବେ । ଅନ୍ୟପକ୍ଷରେ ଆସନ୍ତା ସପ୍ତାହରୁ ବିଦ୍ୟାଳୟ ଗୁଡ଼ିକ ଖୋଲୁଥିବାରୁ ଏହାର ଜଳଉତ୍ସ ଗୁଡ଼ିକୁ ପ୍ରତିସଂକ୍ରମଣ କରାଯିବ । ନିୟୋଜିତ ଟିମ୍ଙ୍କ ଦ୍ୱାରା ପାଣି, ଖାଦ୍ୟ ଓ ମଳର ନମୁନା ନିଆଯାଇଛି ଫଳାଫଳ ଏ ଯାଏ ଆସି ନାହିଁ, ଆସିଲା ପରେ ଏହାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଥିଲେ ।