ଥାଇଲାଣ୍ଡ-କାମ୍ବୋଡ଼ିଆ ସଂଘର୍ଷର ପରିଣତି


ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ହେଉଛି ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଦୁଇଟି ଦେଶ । ଏହା ଭାରତର ଦୁଇଟି ପଡ଼ୋଶୀ ରାଷ୍ଟ୍ର ମଧ୍ୟ । ଏହି ଦୁଇଟି ପଡ଼ୋଶୀ ରାଷ୍ଟ୍ରରେ ବର୍ତ୍ତମାନ ହଜାରେ ବର୍ଷ ତଳର ଦୁଇଟି ପୁରୁଣା ଶିବମନ୍ଦିରକୁ ନେଇ ସଂଘର୍ଷ ସୃଷ୍ଟି ହୋଇଛି । କେବଳ ସଂଘର୍ଷ ନୁହେଁ ଏହା ଯୁଦ୍ଧରେ ପରିଣତ ହୋଇଛି । ଦୁଇଦେଶର ସୀମାରେ ୧୨ଟି ସ୍ଥାନରେ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଏଥିପାଇଁ ଥାଇଲାଣ୍ଡ ସୀମାରେ ଲକ୍ଷାଧିକ ଲୋକ ଘର ଛାଡ଼ିବାକୁ ବାଧ୍ୟ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ଏହି ସଂଘର୍ଷରେ କେତେ ଲୋକ ମୃତୁ୍ୟବରଣ କରିଲେଣି ତାର ହିସାବ ନାହିଁ, କିନ୍ତୁ ସରକାରୀ ଭାବରେ ୧୫ ବୋଲି ପ୍ରକାଶ ପାଉଛି । କାମ୍ବୋଡ଼ିଆ ଏବଂ ଥାଇଲାଣ୍ଡ ସୀମାରେ ଚନ୍ଥାବୁରିର ୭ଟି ଜିଲ୍ଲା ଏବଂ ଟ୍ରାଟ୍ର ଗୋଟିଏ ଜିଲ୍ଲାରେ ଥାଇଲାଣ୍ଡ୍, ମାର୍ଶାଲ୍ ଲ ଲଗାଇଛି । ଏଣେ ଏ ଦୁଇଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି । ଏହି ଦୁଇଦେଶକୁ ବର୍ତ୍ତମାନ ଭାରତରୁ କେହି ନଯିବା ପାଇଁ ତଥା ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ନିକଟସ୍ଥ ୭ଟି ରାଜ୍ୟକୁ କେହି ନଯିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ଗତ ମେ ମାସରୁ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇ କ୍ରମେ ଉଗ୍ର ରୂପ ଧାରଣ କରିଥିଲା । ୧୯୦୭ ମସିହାରେ କାମ୍ବୋଡ଼ିଆ, ଫ୍ରାନ୍ସ ଅଧୀନରେ ଥିଲା ବେଳେ କାମ୍ବୋଡ଼ିଆ ଓ ଥାଇଲାଣ୍ଡ ମଧ୍ୟରେ ୮୧୭ କିଲୋମିଟର୍ର ସୀମା ନିର୍ଦ୍ଧାରଣ କରାଯାଇଥିଲା । ଥାଇଲାଣ୍ଡ କିନ୍ତୁ ଏହାକୁ ବିରୋଧ କରିଥିଲା । କାରଣ ଏହି ସୀମାରେଖା ନିର୍ଦ୍ଧାରଣ ନକ୍ସାରେ ଏକ ମନ୍ଦିରକୁ କାମ୍ବୋଡ଼ିଆର ବୋଲି ଦର୍ଶାଯାଇଥିଲା । ଆଉ ଏକ ମନ୍ଦିରକୁ ଥାଇଲାଣ୍ଡର ବୋଲି ଦର୍ଶାଯାଇଥିଲା । ହେଲେ କାମ୍ବୋଡିଆ ମଧ୍ୟ ଏହାକୁ ସ୍ୱୀକାର ନକରି ଦୁଇ ମନ୍ଦିରକୁ ନିଜର ବୋଲି ଭାବୁଥିଲା । ଏହି ମନ୍ଦିର ଏଭଳି ସ୍ଥାନରେ ରହିଛି ଯେ ସେଠାରେ କୌଣସି ସୀମା ନିର୍ଦ୍ଧାରଣ କରାଯାଇନାହିଁ । ତେଣୁ ଉଭୟ ଦେଶ ଏହି ମନ୍ଦିରକୁ ଦାବି କରୁଛନ୍ତି । ଏଣେ ଥାଇଲାଣ୍ଡ୍ ପଟେ ଥିବା ମନ୍ଦିରକୁ କାମ୍ବୋଡ଼ିଆ ନିଜର ଐତିହ୍ୟ ସ୍ଥାନ ବୋଲି ମାନୁଛି । ତେବେ ଉଭୟ ଦେଶ ଏହି ମନ୍ଦିର ଆଖପାଖରେ ନିୟମିତ ଭାବରେ ପେଟ୍ରୋଲିଂ କରିଆସୁଛି । ତେଣୁ ଏଠାରେ ପୂର୍ବରୁ ଅନେକ ଥର ମଧ୍ୟ ସଂଘର୍ଷ ହୋଇଛି । ଏବେ ଏହି ସଂଘର୍ଷ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରିଛି । ୧୯୫୯ ମସିହାରେ ଥାଇଲାଣ୍ଡ ଏକ ମନ୍ଦିରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରିବାରୁ ବିବାଦ ଆର୍ନ୍ତଜାତିକ କୋର୍ଟ୍କୁ ଯାଇଥିଲା । କୋର୍ଟ୍ ୧୯୨୨ ମସିହାରେ ଏହା କାମ୍ବୋଡ଼ିଆର ବୋଲି ଦର୍ଶାଇଥିଲା । ଥାଇଲାଣ୍ଡ ସେତେବେଳେ ଏହାକୁ ସ୍ୱୀକାର କରିଥିଲା ସତ; କିନ୍ତୁ ଆଖପାଖ ଜମିକୁ ନେଇ ବିବାଦ ରହିଥିଲା । ଯେଉଁ ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ ଏବଂ ଏହା ଉପରେ କୌଣସି ଶେଷ ନିଷ୍ପତ୍ତି ନିଆଯାଇପାରିନାହିଁ । ଏହି କାରଣରୁ ବିଭିନ୍ନ ସମୟରେ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ଉଭୟ ଦେଶ ନିଜ ନିଜର ଜିଦ୍ରେ ଅଟଳ ରହିବାରୁ ଆଜି ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି । 
ଭଗବାନଙ୍କୁ ଉପାସନା କରିବା ମୂଳରେ ଶାନ୍ତି ଏବଂ ସମଗ୍ର ମାନବସମାଜର ସୁଖଶାନ୍ତିର କାମନା ରହିଥାଏ । ତେବେ ଯେଉଁ ଆଧ୍ୟାତ୍ମିକତାକୁ ନେଇ ସୁଖଶାନ୍ତିର କାମନା ଥାଏ ସେହି ଆଧ୍ୟାତ୍ମିକତାକୁ ନେଇ ଜୀବନହାନି ହେବା, ସଂର୍ଘଷ ଘଟିବା ଦୁଃଖଦାୟକ କଥା । ଏ ପ୍ରକାରର ପରିସ୍ଥିତି ବାସ୍ତବିକ ଦୁଃଖଦାୟକ ଏବଂ ମାନବ ସମାଜ ପାଇଁ ଅତ୍ୟନ୍ତ ଉଦ୍ବେଗର ବିଷୟ । ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଧର୍ମପୀଠକୁ ନେଇ ବିବାଦ ଲାଗି ରହୁଥିବା ଦେଖାଯାଏ । ଏ ପ୍ରକାରର ବିବାଦଗୁଡ଼ିକର ପରିଣତି ଅତ୍ୟନ୍ତ ଭୟଙ୍କର ଏବଂ କେବେ କୌଣସି ଭାବରେ ଗୋଟିଏ ସଭ୍ୟ ସମାଜରେ ଧର୍ମକୁ ନେଇ ସୃଷ୍ଟି ହେଉଥିବା ବିବାଦଗୁଡ଼ିକୁ କେବେ ଆଶା କରାଯାଏନାହିଁ । ଭଗବାନ ମଣିଷ ପାଇଁ ସୁଖଶାନ୍ତିର ପରିବେଶ ସୃଷ୍ଟି କରିବା, ମଣିଷକୁ ଏକ ବୃହତ୍ତର ଜୀବନଦର୍ଶନ ସହିତ ବଞ୍ଚିବା ନିମିତ୍ତ ପ୍ରେରଣା ଯୋଗାଏ ବୋଲି ଏକ ବିଶ୍ୱାସ ରହିଛି । ଏ ପ୍ରକାରର ଏକ ବିଶ୍ୱାସକୁ ମଣିଷ ବିଭିନ୍ନ ସମୟରେ ନିଜର ସ୍ୱାର୍ଥକୁ ନେଇ ରକ୍ତପାତ ସୃଷ୍ଟି କରାଇବା ଅତ୍ୟନ୍ତ ନିନ୍ଦନୀୟ କଥା ।