ଆଚାର୍ଯ୍ୟ ଦେବୋଭବ
ଭାରତୀୟ ସମାଜ ଏବଂ ସଂସ୍କୃତିରେ ଶିକ୍ଷକଙ୍କୁ ସର୍ବଦା ଶ୍ରଦ୍ଧା ଓ ସମ୍ମାନ ଦୃଷ୍ଟିରେ ଦେଖାଯାଏ । ଗୁରୁ ଯେ କେବଳ ଛାତ୍ରମାନଙ୍କର ଅଧ୍ୟୟନ ନିୟନ୍ତ୍ରିତ କରନ୍ତି, ତାହାନୁହେଁ, ଚରିତ୍ର ଗଠନରେ ଗୁରୁ ପ୍ରଧାନ ସହାୟକ । ପିତୃସୁଲଭ ସ୍ନେହ ଓ ଆଦର ଦେଖାଇବାରେ ସମର୍ଥ ହେବା ଉଚିତ । ଭାରତୀୟ ସଂସ୍କୃତିରେ "ମାତୃଦେବୋ ଭବ', "ପିତୃଦେବୋଭବ' ସହ "ଆଚାର୍ଯ୍ୟଦେବୋ ଭବ'ର ପରମ୍ପରା ପ୍ରଚଳିତ । କେବଳ ଭାରତ ଏକମାତ୍ର ଦେଶ, ଯେଉଁଠାରେ ଶିକ୍ଷକ ଅର୍ଥାତ୍ ଗୁରୁଙ୍କ ମଧ୍ୟରେ ତ୍ରିଶକ୍ତି - ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଦର୍ଶନ ଉପଲବ୍ଧ ହୁଏ । ଭାରତୀୟ ପରମ୍ପରାରେ ଗୁରୁବନ୍ଦନା ପ୍ରଥା ପ୍ରଚଳିତ । ବିଦ୍ୱାନ ଗୁରୁ ଦେଶ କାଳର ବାହାରେ ସର୍ବଦା, ସର୍ବତ୍ର ପୂଜିତ । ବସ୍ତୁତଃ ଶିକ୍ଷକ ଯେ ଏତେ ପୂଜ୍ୟ ଓ ନମସ୍ୟ ଏହାର ପୃଷ୍ଠଭୂମିରେ ରହିଛି ଶିକ୍ଷକଙ୍କ ତ୍ୟାଗ, ସମର୍ପଣଭାବ । ନିଜର ସୁଖ ସମୃଦ୍ଧି ତ୍ୟାଗ କରି ସମାଜର ସୁଖ ଓ କଲ୍ୟାଣ ନିମନ୍ତେ ଶିକ୍ଷକ ନିଜକୁ ଉତ୍ସର୍ଗ କରିଥାନ୍ତି । ଏ କ୍ଷେତ୍ରରେ ଗୁରୁ କେବଳ ନାମକୁ ମାତ୍ର ଗୁରୁ ନୁହଁନ୍ତି, ସେ ଉପଯୁକ୍ତ ଶିକ୍ଷା ପ୍ରଦାନକାରୀ ଗୁରୁ ରୂପରେ କଥିତ ହୋଇଥାନ୍ତି । ଆଦର୍ଶ ସମାଜ ଗଠନ ଦିଗରେ ଶିକ୍ଷକ ହିଁ କଲ୍ୟାଣକାରୀ ଭୂମିକା ସମ୍ପାଦନ କରିଥାନ୍ତି । ଏଭଳି ଭୂମିକା ନିର୍ବାହକାରୀ ଗୁରୁ ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ପ୍ରାତଃ ସ୍ମରଣୀୟ ଓ ବନ୍ଦନୀୟ । କବୀରଙ୍କ ଭଳି ସିଦ୍ଧ ପୁରୁଷ ମଧ୍ୟ ଗୁରୁଙ୍କୁ ଗୋବିନ୍ଦଙ୍କ ଠାରୁ ଶ୍ରେଷ୍ଠ ମାନୁଥିଲେ । ଏହା ଉତ୍ଥାନ ଓ ପତନ ସମୟର ଶାଶ୍ୱତ ନିୟମ । ସମୟକ୍ରମେ ଶିକ୍ଷକ ସମାଜରେ ନିଜର ଏହି ଉଚ୍ଚସ୍ଥାନ ବଜାୟ ରଖିବାରେ ସକ୍ଷମ ହେଲେନାହିଁ । ସମାଜକୁ ଦିଗ୍ଦର୍ଶନ ଦେଇ ସତ୍ମାର୍ଗରେ ନେବା, ସମାଜର କଲ୍ୟାଣସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା, ଜ୍ଞାନ, ବୁଦ୍ଧି ଏବଂ ଉତ୍ସୁକତାକୁ ଅବଦମିତ କରିବାକୁ ନଦେବା, ନିଃସନେ୍ଦହରେ ଆଦର୍ଶ ଶିକ୍ଷକଙ୍କ କର୍ତ୍ତବ୍ୟ । ଏହି ଧରଣର ଶିକ୍ଷକଙ୍କୁ ସମ୍ମାନ ଦେବା, ଆଦର କରିବା, ସେମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବା, ସମାଜରେ ସେମାନଙ୍କ ସର୍ବୋଚ୍ଚ ସ୍ଥାନ ସୁରକ୍ଷିତ କରିବା ମଧ୍ୟ ଆଦର୍ଶ ସମାଜର ମୌଳିକ ଲକ୍ଷ୍ୟ ହେବା ଆବଶ୍ୟକ । ଏ ସମ୍ପର୍କରେ ସମାଜ ଓ ଶିକ୍ଷକ ଆତ୍ମଚିନ୍ତନ କରିବା ଆବଶ୍ୟକ । କାରଣ ଆଦର୍ଶର ସ୍ୱରୂପକୁ ଦୁହେଁ କାଏମ ରଖିବାରେ ସମର୍ଥ ହୋଇନାହାନ୍ତି । ସମାଜରେ ଯଦି ଜ୍ଞାନ ଏବଂ ମହତ୍ କାର୍ଯ୍ୟର ଯଥାର୍ଥ ଆଦର ନହୁଏ, ପଦବୀ ସହ ନିହିତ ଶକ୍ତି, ଭୌତିକ ପ୍ରାପ୍ତି, ବାସ୍ତୁବାଦୀ, ଚିନ୍ତାଧାରା ପ୍ରସାରଲାଭ କରେ, ଧନ ପ୍ରାପ୍ତିକୁ ସର୍ବୋଚ୍ଚ ସ୍ଥାନ ଦିଆଯାଏ, ଶିକ୍ଷାଦାନ ଭଳି ମହାନ କାର୍ଯ୍ୟର ଗୁରୁତ୍ୱକୁ ଶିକ୍ଷକମାନେ ପାଶୋରି ଯାଆନ୍ତି ତେବେ ଆଦର୍ଶ ସମାଜ ଗଠନ କେବଳ ସ୍ୱପ୍ନରେ ହିଁ ରହିଯିବ । ଦେଶରେ ଚିରକାଳ ଗୁରୁ ଶିଷ୍ୟର ଜୀବନର ଗତି ନିଦେ୍ର୍ଦଶ କରିଆସୁଛନ୍ତି । ଗୁରୁ ଶିଷ୍ୟକୁ ଶାସନ କରନ୍ତି ଏବଂ ନିଜର ଶାସନ ପାଇଁ ଜୀବନକୁ ଅନନ୍ତ ସାଧନାରେ ସିଦ୍ଧ କରୁଥାନ୍ତି । ପିତାମାତାଙ୍କ ଆଦେଶ ପାଳିଲେ ଯେପରି ମଙ୍ଗଳ ହୁଏ ଗୁରୁଙ୍କର ଆଦେଶ - ଉପଦେଶ ପାଳିବା ଦ୍ୱାରା ସେହିପରି ସୁମଣିଷ ହେବାର ବାଟ ଫିଟିଯାଏ । ଓଡ଼ିଆ ଭାଗବତ କହେ - "ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର ।' ଶିରିଡ଼ି ସଂସ୍ଥାର ଗୁରୁ ଚନ୍ଦ୍ରଭାନୁ ଶତପଥୀ ଗୁରୁଙ୍କୁ ପ୍ରଶଂସା କରି ଲେଖିଛନ୍ତି "ତମେ ହିଁ ବା‚ା କଳ୍ପତରୁ, ତମେ ହିଁ କାମଧେନୁ ଗୁରୁ, ତମେ ଯେ ଦିବ୍ୟ ସ୍ପର୍ଶମଣି, ତମେ ହିଁ ଆଶା ବୈତରଣୀ' । ଗୁରୁ ଯୁଗ ଯୁଗ ଧରି ନମସ୍ୟ ।
ଅଲେଖ ଚନ୍ଦ୍ର ସାମଲ,ମୋ : ୯୪୩୭୨୫୭୧୨୩