ଦଣ୍ଡଯାତ୍ରା ପାଇଁ ବଢୁଛି ମୟୂର ପୁଚ୍ଛର ଚାହିଦା
ବୁଗୁଡା : ବୁଗୁଡା ଅଞ୍ଚଳରେ ଚଳିତ ବର୍ଷ ଦଣ୍ଡଯାତ୍ରା ପର୍ବ ଆରମ୍ଭ ହୋଇଯାଇଛି । ମେରୁ ସଂକ୍ରାନ୍ତି ଯାଏଁ ଚାଲିବାକୁ ଥିବା ଏହି ଦଣ୍ଡଯାତ୍ରା ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଦେବଦେବ ମହାଦେବ ଓ ମା' ମହାମାୟୀ କାଳୀଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ହେଉଛି । ଚାରିଆଡ ଦଣ୍ଡୁଆଦଳଙ୍କ ମେଳି ଦେଖିବାକୁ ମିଳିଛି । ହାତରେ ମୟୁର ପୁଚ୍ଛ ବାଡି ଧରି ମାନସିକ ଧାରୀ ବିଭିନ୍ନ ଜାଗାରେ ମା’ଙ୍କ ଦଣ୍ଡଯାତ୍ରା ଦେଖାଇଥାନ୍ତି । ତେବେ ଦଣ୍ଡଯାତ୍ରା ଯୋଗୁଁ ବୁଗୁଡା ଅଞ୍ଚଳରେ ମା’ଙ୍କୁ ଅର୍ପଣ ଲାଗି ମୟୁର ପୁଚ୍ଛର ଚାହିଦା ବଢିଯାଇଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୁଗୁଡ଼ା ଅଞ୍ଚଳର ଅଧିକାଂଶ ବ୍ୟବସାୟୀ ବ୍ରହ୍ମପୁରରୁଏବଂ ଏହାରି ଆଖପାଖ ଅଞ୍ଚଳରୁ ମୟୁର ପୁଚ୍ଛ ଆଣି ବିକ୍ରି କରୁଛନ୍ତି । ଏହି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ମୟୁର ପୁଚ୍ଛ କାରବାର ହେଉଥିବା ବ୍ୟବସାୟୀମାନେ ନିଜ ମତ ରଖିଛନ୍ତି । ମାନସିକଧାରୀ ଭକ୍ତ ଏବଂ ଦଣ୍ଡୁଆମାନେ ମୟୁର ପୁଚ୍ଛକୁ ଧାରଣ କରିଥାନ୍ତି । ବୁଗୁଡା ସହରାଞ୍ଚଳର ମୁଖ୍ୟ ସଡ଼କ, ଗଣେଶ ବଜାର, ମଦନ ମୋହନ ଛକରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ମୟୁର ପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସମାଗ୍ରୀର ବିକ୍ରିବଟା ଦେଖିବାକୁ ମିଳୁଛି । ଏହିସବୁ ମୟୁର ପୁଚ୍ଛ ସ୍ଥାନୀୟ ବଜାର ସମେତ ରାଜସ୍ଥାନର ଯୋଧପୁର, ଉତ୍ତରପ୍ରଦେଶର ଆଗ୍ରା, ପଶ୍ଚିମବଙ୍ଗର କୋଲକାତାରୁ ପ୍ରଚୁର ପରିମାଣର ଆସୁଥିବା ନେଇ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।