ମାରାଗୁଡା ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ମଣ୍ଟୁ ଛୁରିଆଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ
ନୂଆପଡା : ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ମାରାଗୁଡା ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଆନୁଷ୍ଠାନିକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଲବ୍ଧ ପ୍ରତିଷ୍ଠିତ କବି ଡ଼ଃ ନାରାୟଣ ପଣ୍ଡା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ବେହେରା, ମୁରଲୀଧର ଭୋଇ, ମାଲ୍ୟବନ୍ତ ସୁନା, ବିଶିଷ୍ଟ ଶିକ୍ଷାବିତ୍ ଡଃ କିଶୋର କୁମାର କର୍ଣ୍ଣ, ଶିକ୍ଷକ ତଥା ରକ୍ତଦାତା କିଶୋର କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ମାରାଗୁଡ଼ା ଲୋକ ମହୋତ୍ସବର ମୁଖ୍ୟ ଆୟୋଜକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରୟାସରେ ଦୀର୍ଘ ବାର ବର୍ଷ ପରେ ପୁଣି ଥରେ ଏହା ଅନୁଷ୍ଠିତ ହୋଇଥିବାରୁ ତାହାଙ୍କୁ ଏବଂ ସମସ୍ତ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ନୃତ୍ୟ, ନାଟକ, କଳା, କ୍ରୀଡ଼ା, ଶିକ୍ଷା, ସମାଜସେବା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ହେମନ୍ତ କୁମାର ମୁଣ୍ଡ, ରୋହିତ ନାଗେଶ, ସଂଯୁକ୍ତା ଚିନ୍ଦା, ତ୍ରିମନ୍ ମାଝୀ, ରବିରଞ୍ଜନ ପ୍ରଧାନ, ବିଷ୍ଣୁପ୍ରିୟା ଜଗତ, ରଚନା ଜୈନ୍, ମିତା ତିୱାରୀ, ଡଃ କିଶୋର କୁମାର କର୍ଣ୍ଣ, କିଶୋର କୁମାର ପରିଡ଼ାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା, ସ୍ୱପ୍ନାଞ୍ଜଳୀ ନୃତ୍ୟ ଏକାଡେମୀ ସୋନପୁର, ମା’ ମାହେଶ୍ୱରୀ ସାଂସ୍କୃତିକ ସାଂସଦ, ବିନିକାର କଳାକାରମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ବହୁ ପ୍ରତିକ୍ଷିତ ଷ୍ଟାର କଳାକାର ମଣ୍ଟୁ ଛୁରିଆଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍କେଷ୍ଟ୍ରା ଉପଭୋଗ କରିବା ସହିତ ନୃତ୍ୟ କରିଥିଲେ । ଏହି ଉତ୍ସବରେ ପ୍ରବଳ ଜନସମାଗମ ହୋଇଥିଲା ।