ଦାଣ୍ଡୁଆପଡାରେ ୨୫ଟି ପରିବାରକୁ ନାହିଁ ପକା ରାସ୍ତା
ନାଉଗାଁ : ନାଉଗାଁ ବ୍ଲକ ଶିଖର ଗ୍ରାମ ପଞ୍ଚାୟତ ଅଧୀନ ୧୮ ନଂ ୱାର୍ଡ ଦାଣ୍ଡୁଆପଡିଆ ପଡା ଗ୍ରାମକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯିବା ଆସିବା ନିମନ୍ତେ ପ୍ରାୟ ୨୫ଟି ପରିବାର ଏଠାରେ ବସବାସ କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ପଡା ଅଞ୍ଚଳକୁ ଯାତାୟାତ କରିବା ପାଇଁ କୌଣସି ପକା ରାସ୍ତା ନିର୍ମାଣ ହୋଇନାହିଁ । ଯାହା ହୋଇଛି ଅଧାପନ୍ତରିଆ । ଖରାଦିନେ କଷ୍ଟେ ମଷ୍ଟେ ମାଟି ରାସ୍ତାରେ ଚାଲିଯାଉଛନ୍ତି କିନ୍ତୁ ବର୍ଷା ଦିନେ ପାଣି କାଦୁଅରେ ପାଦରେ ଚାଲିବା ସମ୍ଭବ ହେଉ ନାହିଁ । ଯାହାଦ୍ୱାରା ଏଠାରେ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧବୃଦ୍ଧା ଓ ରୋଗୀମାନେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଏହି ପଡା ଗାଁବାସୀ ଅଭିଯୋଗ କରିଛନ୍ତି ଯେ, ବର୍ଷା ଓ ଆପାତକାଳୀନ ସମୟରେ ଚିକିତ୍ସା, ଶିକ୍ଷା ଓ ଦୈନିକ ଆବଶ୍ୟକତା ପୂରଣ କରିବାରେ ସେମାନେ ଭାରି ଦୁଃଖ ଭୋଗୁଛନ୍ତି । ବିଭିନ୍ନ ସମୟରେ ପଞ୍ଚାୟତ ଓ ବ୍ଲକ୍ସ୍ତରରେ ଅନୁରୋଧ କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଦାଣ୍ଡୁଆପଡା ଗାଁ ବାସୀଙ୍କ ଚେତାବନୀ ଅନୁଯାୟୀ, ଯଦି ନିକଟ ଭବିଷ୍ୟତ ରେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ରାସ୍ତା ସଂଯୋଗ କରାଯିବନାହିଁ ତେବେ ସେମାନେ ନାଉଗାଁ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସୁଧୀର ରାୟ, ଶିବ ପ୍ରସାଦ ସାହୁ, ମାନସ ମଲ୍ଲିକ, ଜ୍ୟୋତି ପ୍ରକାଶ ମଲ୍ଲିକ, ରାଜକିଶୋର ମଲ୍ଲିକ, ଛାତ୍ର ନେତା ସୁନିଲ ମାଟିଆ ଓ ସ୍ମୃତିରଞ୍ଜନ ଜେନା ପ୍ରମୁଖ ଦାବି କରିଛନ୍ତି । ଏହି ଅସୁବିଧା ପୂର୍ଣ୍ଣ ଦାବି ପୁରଣ ନିମନ୍ତେ ସ୍ଥାନୀୟ ପ୍ରଶାସନ କଣ ପଦକ୍ଷେପ ନେଇଛନ୍ତି ବା ନେବେ, ସେଥିପାଇଁ ଆଗାମୀ ଦିନ ଉପରେ ଦୃଷ୍ଟି ରହିଛି । ଗାଁବାସୀଙ୍କ ଦାବି ସହିତ ସହାନୁଭୂତି ଜଣାଇ ସମସ୍ୟାର ସମାଧାନ କରିବାକୁ ଚାଲିଥିବା ଉଦ୍ୟମ ଏହି ଅଞ୍ଚଳର ସମଗ୍ର ବିକାଶ ପାଇଁ ଆବଶ୍ୟକ ।