ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତାରେ କେଳେଙ୍କାରୀ 

 ଆନନ୍ଦପୁର: ରାଜ୍ୟରେ ବିଜେପି ସରକାର ଗଠନ କଲେ ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମ ମାନଙ୍କୁ ବର୍ଦ୍ଧିତ ଆକାରରେ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବାକୁ ପ୍ରତିଶତି ଦିଆଯାଇଥିଲା । ନୂଆ ସରକାର ଗଠନ ପରେ ରାଜ୍ୟ ସରକାର ତାଙ୍କ ପ୍ରତିଶୃତି ରକ୍ଷାକରି  ଏହି ଭତ୍ତାକୁ ୮୦ ବର୍ଷରୁ ଅଧିକ ବୃଦ୍ଧ ବୃଦ୍ଧା ଏବଂ ୮୦ ପ୍ରତିଶତରୁ ଅଧିକ ବିକଳାଙ୍ଗଙ୍କୁ ଦେଉଛନ୍ତି । ମାତ୍ର ୮୦ ବୟସରୁ କମ୍ ଓ ୮୦ ପ୍ରତିଶତରୁ କମ୍ ଦିବ୍ୟାଙ୍ଗମାନେ ଆନନ୍ଦପୁର ବ୍ଲକରେ ବର୍ଦ୍ଧିତ ଭତ୍ତା ହାତେଇଛନ୍ତି ବୋଲି ଯୋଗ୍ୟ ବିବେଚିତ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିୟମ ମୁତାବକ ଯେଉଁମାନେ ବର୍ଦ୍ଧିତ ଭତ୍ତା ପାଇବେ ସେମାନେ ପୁଣି ଥରେ ସାମାଜିକ ସୁରକ୍ଷା ବିଭାଗରେ ନିଜର ଭୋଟର ପରିଚୟପତ୍ର, ଆଧାରକାର୍ଡ ଏବଂ ଅନଲାଇନ୍ ବିକଳାଙ୍ଗ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ନିୟମ ରହିଛି । ମାତ୍ର ଆନନ୍ଦପୁର ବ୍ଲକରେ ସାମାଜିକ ସୁରକ୍ଷା ଅଧିକାରୀ ନ ଥିବା ବେଳେ, ବିଭାଗ କର୍ମଚାରୀଙ୍କ ଦୁର୍ନୀତି ଖୋର୍ ମନୋଭାବ ପାଇଁ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ବଳି ପଡୁଛନ୍ତି ଯୋଗ୍ୟ ହିତାଧିକାରୀ । ଆନନ୍ଦପୁର ବ୍ଲକ ମୋଚିନ୍ଦା ପଞ୍ଚାୟତରେ ନରେଶ କାହାଳୀ ଓ ବାସନ୍ତୀ ପଣ୍ଡିତ, ପଞ୍ଚୂପଲ୍ଲି ପଞ୍ଚାୟତ ରେ ଇନ୍ଦ୍ରମଣି ପରିଡା, ବାଇଲୋ ପଞ୍ଚାୟତରେ ସୁଦର୍ଶନ ସାହୁ ଏବଂ କାଠକଟା ପଞ୍ଚାୟତର ଅନନ୍ତ ସାହୁଙ୍କ ଅନଲାଇନ୍ରେ ବିକଳାଙ୍ଗ ପ୍ରମାଣ ପତ୍ରରେ ୮୦ ପ୍ରତିଶତ ରୁ କମ୍ ଥିବା ବେଳେ, ସେମାନଙ୍କର ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ କରାଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଆନନ୍ଦପୁର ବ୍ଲକର କିଛି ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଉଥିବା ବର୍ଦ୍ଧିତ ଭତ୍ତା, ଅନଲାଇନ୍ ବିକଳାଙ୍ଗ ପ୍ରମାଣ ପତ୍ର ଯାଞ୍ଚ କରିବା ସହ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଥିବା ଭତ୍ତା ଗୁଡ଼ିକୁ ଯାଞ୍ଚ କରିବା ପାଇଁ ସାଧାରଣରେ ଦାବି ହେଉଛି ।