ଦିବ୍ୟାଙ୍ଗ ଛାତ୍ର ଭାଗବତ... ଭତ୍ତା ପାଇଁ ଭଣ୍ଡେଇଲେ
ଟମକା: ଜନ୍ମରୁ ଅସ୍ୱାଭାବିକ ଭାବେ ପତଳା ହୋଇ ବଙ୍କା ହୋଇଯାଇଛି ଦୁଇ ଗୋଡ । ଯାହା ପାଇଁ ସେ ସଠିକ୍ ଭାବେ ଚାଲି ପାରୁନାହିଁ । ଏନେଇ ଅନେକ ବାର ପ୍ରଶାସନର ଦ୍ୱାରସ୍ଥ ମଧ୍ୟ ହୋଇଛି । ପ୍ରମାଣପତ୍ର ମିଳିବ କହି ପ୍ରଶାସନ ତା ପାଖରୁ ଆବଶ୍ୟକ ଦସ୍ତାବିଜ୍ ମଧ୍ୟ ରଖିଛି ହେଲେ ସ୍ଥିତି ଅଦ୍ୟାବଧି ଯଥା ପୂର୍ବଂ ତଥା ପରଂ । ସରକାରୀ ସାହାର୍ଯ୍ୟ ପାଇଁ ସେ ଶତ ପ୍ରତିଶତ ଯୋଗ୍ୟ ହାଇଥିଲେ ମଧ୍ୟ ସାମାନ୍ୟ ଭତ୍ତା ଟିକିଏ ବି ତା ଭଗ୍ୟ ଠାରୁ ବହୁ ଦୂରରେ । ଯାହାପାଇଁ ଶେଷରେ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ଜୀବନ ଜିଉଁଛି ଦାନଗଦୀ ବ୍ଲକ୍ ଅନ୍ତର୍ଗତ କିଆଝର ପଞ୍ଚାୟତ ଚମ୍ପାଝର(ଇଟାଝର) ଗ୍ରାମର ଭାଗବତ ମାଝୀ । ବୟସ ୧୩ ବର୍ଷ । ବାପା ଦାଶମାତ୍ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ଭାଗବତ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ଟମକାରେ ୮ମ ଶ୍ରେଣୀରେ ଅଧ୍ୟୟନରତ । ହେଲେ ବିଡମ୍ବନା ଭାଗବତ ଭତା ପାଇଁ ଶତ ପ୍ରତିଶତ ଯୋଗ୍ୟ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାକୁ ପ୍ରଶାସନ ଭତ୍ତା ଯୋଜନାରେ ସାମିଲ୍ କରିବାରେ ବିଫଳ ହୋଇଛି । ପ୍ରଶାସନ ଏନେଇ ଯେ, ଅବଗତ ନାହିଁ ତାହା ନୁହଁ । କେତେ ବେଳେ ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ରଙ୍କ ଉଦ୍ୟମରେ ବ୍ଲକ୍ରେ ଅନୁଷ୍ଠିତ ଭିମଭୋଇ ଭିନ୍ନକ୍ଷମ ଶିବିରକୁ ଯାଇ ଗୁହାରି କରିଛି ତ ପୁଣି କେତେ ବେଳେ ଜିଲା ପ୍ରଶାସନର ଦ୍ୱାରସ୍ଥ ମଧ୍ୟ ହୋଇଛି । ସମସ୍ତଙ୍କ ପାଖରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଯୋଗାଇ ଦେଇ ଭତ୍ତା ଯୋଜନାରେ ସାମିଲ୍ କରିବାକୁ ନିବେଦନ କରିଛି । ହେଲେ କିଛି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରନ୍ତି ବାପା ଦାଶମାତ୍ । ସେଠାରେ ଅବାଶ୍ୟକ ସମସ୍ତ ଦସ୍ତାବିଜ୍ ପ୍ରଦାନ କରି ଫେରିଥିଲେ ମଧ୍ୟ ଇତି ମଧ୍ୟରେ ୫ମାସରୁ ଉର୍ଦ୍ଧ ସମୟ ବିତି ଯାଇଛି । ହେଲେ ପ୍ରମାଣ ପତ୍ର ଭାଗବତକୁ କ’ଣ ପାଇଁ ମିଳୁନାହିଁ ତାହାର କାରଣ ଖୋଜି ପାଉନି ବାପା ଦାଶମାତ୍ । ଯାହାପାଇଁ ଶେଷରେ ନିରାଶ ହୋଇ ବହୁ କଷ୍ଟରେ କାଳତିପାତ କରୁଛି ଭାଗବତ । ପାଠ ପଢି ଭଲ ମଣିଷ ହେବା ନିଶାରେ ସେ ନିଜର ପ୍ରଚେଷ୍ଟା ଜାରି ରଖିଥିବା ବେଳେ ସରପଞ୍ଚଙ୍କ ଉଦ୍ୟମରେ ଏବେ ତାକୁ ନିକଟସ୍ଥ ଉଚ୍ଚ ବିଦ୍ୟାଳୟରେ ୮ମ ଶ୍ରେଣୀରେ ନାମ ଲେଖାଇ ହଷ୍ଟେଲରେ ରଖାଇବାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଯେତେବେଳେ ଯାହା ଦରକାର ହେଉଛି ଗରୀବ ବାପା ମା’ ମଧ୍ୟ ମୂଲ ମଜୁରୀ କରି ଭାଗବତର ଆଶା ପୁରଣ କରିବାରେ ଲାଗି ପଡିଛନ୍ତି । ଆଉ ଭାଗବତ ଗରୀବ ମା’ବାପାଙ୍କୁ ବୁଝାଇ କହୁଛି ତମେ ମାନେ ମନ ଦୁଃଖ କରନାହିଁ, ପ୍ରଶାସନ ମତେ ଭତା ଗଣ୍ଡେ ନ ଦେଲା ନାହିଁ ହେଲେ ମୁଁ ଭଲ ପାଠ ପଢି ଭଲ ମଣିଷ ହେବି ଚାକିରି କରିବି ଆଉ ତମ କଷ୍ଟର ଋଣ ସୁଝିବି । ଭାଗବାତର ଏ ଦୁଃଖଦ କାହାଣୀ ଦେଖିବା ପରେ ମନରେ ଶ୍ୱତଃ ପ୍ରଶ୍ନ ଉଠେ ସତରେ ସରକାରୀ ଯୋଜନାର ସଫଳ ଋପାନ୍ତରର ଡିଣ୍ଡିମ ପିଟୁଥିବା ପ୍ରଶାସନ, ସରକାରୀ ଯୋଜନାକୁ ଉପଯୁକ୍ତ ଲୋକଙ୍କ ପାଖରେ ପହଁଚାଇବାରେ କେତେ ସଫଳ ତାହା ଆପଣମାନେ ବିଚାର କରିବେ ।