ଦୁଇ ଘରେ କଳାକନା ବୁଲାଇଲେ ଲୁଟେରା
ସିଂହପୁର : ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ବାରିକୁଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରୁ ବଡ଼ ଧରଣର ଲୁଟ ହୋଇଛି । ଚୋର ଗ୍ରାମର ଗଣେଶ ନାୟକ ଓ ରାଜତ ସାହୁଙ୍କ ଘରୁ ଲୁଟ୍ କରି ଚମ୍ପଟ ମାରିଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଖବର ମତେ ଗ୍ରାମର ଗଣେଶ ନାୟକଙ୍କ ପରିବାର ପୁଅ ବାହାଘର ପାଇଁ ସୁନା ଅଳଙ୍କାର କିଣି ଘରେ ରଖିଥିଲେ ଓ ଘର କାମ ପାଇଁ ନଗଦ ୮୦ ହଜାର ଟଙ୍କା ମଧ୍ୟ ଘରେ ରଖିଥିଲେ । ଗତକାଲି ଲୁଟେରା ମାନେ ଗଣେଶଙ୍କ ଘରେ ପସି ବାହାର ପଟୁ କବାଟ ଦେଇ ସବୁ ଲୁଟି ନେଇଛନ୍ତି । ସକାଳୁ ପରିବାର ଲୋକେ ଉଠି ଦେଖିବାକୁ ପାଇଥିଲେ ଘରର ଆଲମିରା ଖୋଲା ଅଛି ଓ ସାମଗ୍ରୀ ଖେଳା ମେଳା ହୋଇପଡିଛି । ସୁନା ରୂପା ଓ ଟଙ୍କା ଚୋରି ହୋଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ନଗଦ ୮୦ହଜାର ଟଙ୍କା ସମେତ ପ୍ରାୟ ୩ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ସେହିପରି ଗ୍ରାମର ଔଷଧ ଦୋକାନୀ ରାଜତ ସାହୁଙ୍କ ଘରେ ମଧ୍ୟ ସମାନ ଧରଣର ଲୁଟ ହୋଇଛି । ଲୁଟେରା ବାହାର ପଟୁ କବାଟ ଦେଇ ଲୁଟ କରିଛନ୍ତି । ସକାଳୁ ଘଟଣା ଜଣା ପଡିବା ପରେ ଅଳକୁଣ୍ଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ଅଳକୁଣ୍ଡ ଥାନା ଅଞ୍ଚଳରେ ଏଭଳି ଲୁଟ ଘଟଣା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଲୁଟେରା ମାନଙ୍କୁ ଠାବ କରିବା ସହ ଲୁଟ ସାମଗ୍ରୀ ଜବତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।