ରାଜସ୍ୱ ଓ ଜଙ୍ଗଲ ବିଭାଗ ସୁରକ୍ଷାରେ ଠିକାଦାର ପ୍ରଧାନ

ଯାଜପୁର : ସରକାରୀ ଦଳର ସମର୍ଥନ ଏବଂ ଅଫିସରଙ୍କ ମୁହଁ ବନ୍ଦ କରିପାରିଲେ । ଏକର ଏକର ସରକାରୀ ଜମି ମାଡ଼ିବସି କୋଠା ଉପରେ କୋଠା କଲେ କେହି ପାଟି ଫିଟାଇବେନି । ଏକଥାକୁ ଭଲ ଭାବେ ବୁଝିଥିବା ପ୍ରଧାନ ନାମକ ଜଣେ ଠିକାଦାର ଜଙ୍ଗଲ ଜମି ମାଡ଼ିବସି କୋଠା ଉପରେ କୋଠା ନିର୍ମାଣ କରିଚାଲିଛନ୍ତି । ଆଉ ଅଭିଯୋଗ ହେଉ କି ଗଣମାଧ୍ୟମରେ ଖବର ପ୍ରକାଶ ରାଜସ୍ୱ କି ଜଙ୍ଗଲ ବିଭାଗ ଉପରେ କୈାଣସି ପ୍ରଭାବ ପକାଉନି । ପ୍ରଧାନ ଠିକାଦାରଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ, ସେଦିଗରେ ରାଜସ୍ୱ ଏବଂ ଜଙ୍ଗଲ ବିଭାଗ କାର୍ଯ୍ୟ କରିଚାଲିଛନ୍ତି । ଯାହା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସରକାରୀ ଜମି ସୁରକ୍ଷା ନିଆଯାଉଥିବା କଥା ଦାନଗଦୀ ତହସିଲରେ ପାଣିର ଗାର ପରି ହୋଇପଡ଼ିଛି । ଆମେ କହୁଛୁ ତ୍ରିଜଙ୍ଗା ପଂଚାୟତ ଦାନଗଦୀ ଗାଁ ଭିତର ଜଙ୍ଗଲ ଜମିରେ ଚାଲିଥିବା ଏକ କୋଠା ଘର ନିର୍ମାଣର କଥା । ପ୍ରଧାନ ନାମକ ଜନୈକ ଠିକାଦାର ଏବଂ ଅନ୍ୟଜଣେ ଠିକାଦାର ଖାତା ନମ୍ବର୫୦୧ପ୍ଲଟ ନମ୍ବର ୫୫୦ରେ ୦.୩୧୦ ଏକରୁ ଉଦ୍ଧ୍ୱର୍ ଜମିକୁ ବେଆଇନ ଭାବେ ଦଖଲ କରି ମେସିନ ଲଗାଇ ସମତଳ କରିବା ପରେ ଗୃହ ନିର୍ମାଣରେ ଲାଗିପଡ଼ିଛନ୍ତି । ସ୍ଥାନୀୟ ବାହୁବଳୀ ନେତାଙ୍କ ଛତ୍ରଛାୟା ତଳେ ରହି ଠିକାଦାର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢାଇ ଚାଲିଛନ୍ତି ।  ସରକାରୀ ଜମି ମୁକ୍ତ ବଦଳରେ ଏଠି ଜଙ୍ଗଲ ଜମି ଦଖଲ କରାଯାଇ କୋଠ ଉପରେ କୋଠ କରାଯାଉଥିବା ବେଳେ ଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନେବା ବଦଳରେ ରାଜସ୍ୱ ଏବଂ ଜଙ୍ଗଲ ବିଭାଗ ହାତବାନ୍ଧି ବସିଛନ୍ତି । ଏପରିକି ପ୍ରଧାନ ଠିକାଦାର ଜଙ୍ଗଲ ଜମି କଣ ଦରକାର ପଡିଲେ ଗୋଚର, ଶ୍ମଶାନ ଜମିରେ କୋଠା କରିବେ ବୋଲି କହିବୁଲୁଛନ୍ତି । ଜଗତସିଂପୁର ଅଞ୍ଚଳର ଉକ୍ତ ଠିକାଦାର ଜିନ୍ଦଲ କାରଖାନାରେ ଠିକାଦାରୀ କରୁଥିବା ବେଳେ ବର୍ତ୍ତମାନ ତଳ ମହଲା ସାରି ଉପର ମହଲା ଘର ନିର୍ମାଣ କରୁଛନ୍ତି । ଏହାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଦାନଗଦୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ବି କେହି ଉକ୍ତ ସ୍ଥାନକୁ ଯାଉ ନାହାନ୍ତି କି ଆଖି ଉଠାଇ ଦେଖୁନାହାନ୍ତି । ଶୁଣିବାକୁ ମିଳୁଛି ଠିକାଦାର ସ୍ଥାନୀୟ କିଛି ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ଛତ୍ରଛାୟା ତଳେ ରହି ବେଆଇନକୁ ଆଇନଗତ କରିବାରେ ଲାଗିଛନ୍ତି । ନେତା କୁଆଡେ ମୋଟା ଅଙ୍କ ନେଇ ଠିକାଦାରଙ୍କୁ ଉକ୍ତ ଜଙ୍ଗଲ ଜମିଟିକୁ ବିକ୍ରୀ କରି ଦେଇଛନ୍ତି । ଏହି ପରିସ୍ଥିତିରେ ଯିଏ ଯେତେ ବିରୋଧ କିମ୍ବା ଆପତି ଅଭିଯୋଗ କଲେ ସୁଦ୍ଧା ରାଜସ୍ୱ ଓ ଜଙ୍ଗଲ ବିଭାଗର ପାଟି ଫିଟୁନି । ରାଜସ୍ୱ ମନ୍ତ୍ରୀ ଏହି ବେଆଇନ ନିର୍ମାଣ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗକାରୀ ଦାବି କରିଛନ୍ତି ।