ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

  ଢେଙ୍କାନାଳ : ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲ, ସେକୁଲ, କୋଟେ ଓ ପୁଟିପାଳ ଭଳି ଦୁର୍ଗମ ଅଞ୍ଚଳରେ ସରକାରୀ କାର୍ଯ୍ୟକ୍ରମ, ଯୋଜନାର ତୃଣମୂଳସ୍ତରରେ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ସେଠାକାର ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟତଃ ସେ ସେଠାକାର ଜୁଆଙ୍ଗ ସମ୍ପ୍ରଦାୟ ଯେଉଁମାନେ କି ପିଭିଟିଜି ଶ୍ରେଣୀଭୁକ୍ତ ଅଟନ୍ତି, ସେମାନଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଯୋଜନା ସେଠାରେ କାର୍ଯକାରୀ ହେଉଛି ନା ନାହିଁ ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏହାସହିତ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସେଠାକାର ଅଙ୍ଗନବାଡି ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କଥା ହେବା ସହ ସେଠାରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି, ଏହାର ଅନୁଧ୍ୟାନ କରିଥିଲେ । କଙ୍କଡ଼ାହାଡ଼ ବ୍ଲକଟି ଏକ ଅଂକାଂକ୍ଷୀ ବ୍ଲକ ଘୋଷଣା ହେଇଥିବାରୁ ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏଣୁ ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ କଙ୍କଡ଼ାହାଡ଼ ସ୍ଥିତ ଅଂକାଂକ୍ଷୀ ବ୍ଲକ ବହୁମୁଖୀ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଥିସହିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର, ବ୍ଲକର ବସ୍ଷ୍ଟାଣ୍ଡ ଓ ବ୍ଲକର ଡଙ୍ଗପାଲି ସ୍ଥିତ ୨୦୦ ଶଯ୍ୟା ବିଶିଷ୍ଟ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ବ୍ଲକ ଉନ୍ନୟନ ଅଧିକାରୀ  ଯଶୋବନ୍ତ ଦେହୁରୀ, ତହସିଲଦାର ସୌଦାମିନୀ ନାୟକ, କଙ୍କଡ଼ାହାଡ଼ ଥାନାର ଭାରପ୍ରାପ୍ତ ଅଧିକାରୀ କଳ୍ପନା ବେହେରା ଏବଂ ବ୍ଲକସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।