ଆନନ୍ଦ ଓ ଉଲ୍ଲାସର ସହ ରଜ ପର୍ବ ପାଳିତ
ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ପରିସରରେ ରଜ ମଉଜ ଉତ୍ସବ ପାଳିତ ହୋଇଯାଇଛି । ନଗରପାଳ ଜୟନ୍ତୀ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ , ଅବସରପ୍ରାପ୍ତ ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ, ଶିଶୁମଙ୍ଗଳ କମିଟି ସଦସ୍ୟ ବିଭୂତି ଭୂଷଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡିଆ ସଂସ୍କୃତିର ପାରମ୍ପରିକ ରଜପର୍ବର ମହନୀୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଚଳିତବର୍ଷ ନଗରପାଳ ଶ୍ରୀମତି ପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀଙ୍କ ପନôୀ ଅନସୂୟା ସେଠୀଙ୍କୁ ରଜ କୁଇନ ଭାବେ ସମ୍ମାନିତ କରାଯାଇଥିଲା । ପରେ ଅତିଥିମାନଙ୍କ ଦ୍ୱାରା ପାରମ୍ପରିକ ଦୋଳି ପୂଜା କରାଯାଇ ଦୋଳିଖେଳ ପର୍ବ ଆରମ୍ଭ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧ କ୍ୱିଣ୍ଟାଲ ଓଜନର ପୋଡପିଠା ଏବଂ ତା' ସହିତ ଅନ୍ୟାନ୍ୟ ପିଠା ଓ ବ୍ୟଞ୍ଜନର ମଜା ନେଇଥିଲେ ଅତିଥିଙ୍କ ସମେତ ଉପସ୍ଥିତ ଅନ୍ୟମାନେ । ଅନୁଷ୍ଠାନର ସଂପାଦକ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅନ୍ତେବାସୀମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ରଜଗୀତ ବୋଲିଥିଲେ । ଏହି ଉପଲକ୍ଷେ ଅନ୍ତେବାସୀମାନଙ୍କ ପାଇଁ କରାଯାଇଥିବା ନୂଆ ପୋଷାକ ପରିଧାନ କରି ଦୋଳି ଖେଳି ରଜର ମଜା ନେଇଥିଲେ । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂସ୍କୃତିପ୍ରେମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମିଶନର ମୁଖ୍ୟ ପରିଚାଳକ ଶୁଭ୍ରା ପ୍ରିୟଦର୍ଶନୀ ସାହୁଙ୍କ ସମେତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।