ଦୁର୍ଗାପୂଜା ପାଇଁ ଶାନ୍ତିକମିଟି ବୈଠକ
ବେତନଟୀ : ଶାରଦୀୟ ଦୁର୍ଗାପୂଜା ପାଇଁ ପୁଲିସ ପ୍ରଶାସନର ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ସ୍ଥାନୀୟ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବେତନଟୀ ଏସ୍ଡିପିଓ ମିନତୀ ବିଶ୍ୱାଳଙ୍କ ସମେତ ଆଇଆଇସି ସସ୍ମିତା ମହାନ୍ତି, ଅତିରିକ୍ତ ତହସିଲଦାର ଇଶ୍ୱରଚନ୍ଦ୍ର ରଣା, ବେତନଟୀ ଉପଖଣ୍ଡ ଅଧିକାରୀ ଇଂ. ଶୁଭଦୀପ୍ତ ମିଶ୍ର, ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଅଧିକାରୀ ଇଂ. ଅରୋବିନ୍ଦ ମହାନ୍ତି, ଇଂ. ରବୀନ୍ଦ୍ର ମିଶ୍ର, ସହକାରୀ ଅଧିକାରୀ ଇଂ. ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତି ସଂଯୋଜନା କରିଥିବା ବେଳେ ବସ୍ ଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା କମିଟି, ଆନନ୍ଦବଜାର, ବଙ୍ଗଳାଛକ, କଙ୍କାକାଳିଆ, ବାହାନଡ଼ା, ବାରମାଇଲ, ଦାନ୍ତିଆମୁହାଁ ଦୂର୍ଗାପୂଜା କମିଟି ଗୁଡ଼ିକର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ । ଏଥିରେ ବେତନଟୀ ସରପଞ୍ଚ ପାନମଣୀ ମୁର୍ମୁ, ସରପଞ୍ଚ ଦେବୀମଣି ସିଂ, ସମିତିସଭ୍ୟ କିଶୋର ନାୟକ, ବେତନଟୀ ସମତିସଭ୍ୟ ରଣଜିତ ସିଂ, ଅବକାରୀ ଅଧିକାରୀ ପ୍ରଦୀପ ବେହେରା, ବେତନଟୀ ବ୍ଲକ୍ ସଭାପତି ଜୀବନ ପରିଡ଼ାଙ୍କ ସମେତ ଅଗ୍ନିଶମ ବିଭାଗର କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଶାନ୍ତିଶୃଙ୍ଖଳାର ସହ ପୂଜା କାର୍ଯ୍ୟ ସମ୍ପାଦନ ଏବଂ ସମସ୍ତ କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରି ଶୃଙ୍ଖଳିତ ଭସାଣୀ କରାଯିବା ନେଇ ଆଲୋଚନା ହୋଇଥିଲା । ରାସ୍ତାଘାଟ ମରାମତି, ଡ୍ରେନ୍ ସଫେଇ, ଆଲୋକ ବ୍ୟବସ୍ଥା ସମେତ ସମସ୍ତ ମଣ୍ଡପରେ ସିସିଟିଭି ଲଗାଇବା ପାଇଁ ସ୍ଥିର ହୋଇଛି । ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ, ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ସହ ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା । ବେତନଟୀ ଥାନା କର୍ମଚାରୀ ପରିଚାଳନା କରିଥିବା ବେଳେ ଏସ୍ଡିପିଓ ମିନତୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।