ଦୁର୍ନୀତିକୁ ନେଇ ଗଣଧାରଣା

  ଅନୁଗୁଳ  : ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର କିଛି ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ଦ୍ୱାରା ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଦୀର୍ଘବର୍ଷ ଧରି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସହିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ନିମନ୍ତେ ଅନୁଗୁଳ ଜଗନ୍ନାଥ ସେନା ଜିଲ୍ଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିଆସୁଛି । ତେବେ କେଉଁ ସ୍ୱାର୍ଥରେ ବା କାହା ଚାପରେ ପ୍ରଶାସନ ନୀରବ ରହି ଦୁର୍ନୀତି ଓ ଅନ୍ୟାୟକୁ ସମର୍ଥନ କରିଆସୁଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଛି । ଯାହାକୁ ନେଇ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବା ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପର୍ଯ୍ୟନ୍ତ ଦୈନିକ ଏକଘଣ୍ଟା ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ନେଇ ଜଗନ୍ନାଥ ସେନା ନିଷ୍ପତ୍ତି ନେଇଛି । ସେନାର ଅଭିଯୋଗ ଅନୁଯାୟୀ, ମନ୍ଦିର ପରିଚାଳନା ନିମନ୍ତେ ହୋଇଥିବା ବାଇ-ଲର ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇ ଗୋଟିଏ ପଦବୀରେ ସମ୍ପାଦକ ହେମନ୍ତ ଦାଶ ଓ ଉପସଭାପତି ତଥା ବିଶେଷ ପୂଜା କମିଟି ଅଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର କିଛି ସପକ୍ଷବାଦୀଙ୍କ ସହାୟତାରେ ଦୀର୍ଘଦିନ ଧରି ଜବର ଦଖଲ କରି ବସି ରହିଛନ୍ତି । ଫଳରେ ମନ୍ଦିରକୁ ବ୍ୟକ୍ତିଗତ ସମ୍ପତ୍ତି ଭାବିବା ସହିତ ଅନ୍ୟାୟ ଅନୀତି କରିଆସୁଛନ୍ତି । ଏଣୁ ଉଭୟଙ୍କୁ ତୁରନ୍ତ ଉକ୍ତ ପଦବୀରୁ ବହିଷ୍କାର କରାଯାଇ ନୂତନ ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା କରାଯାଉ ବୋଲି ଜଗନ୍ନାଥ ସେନା ଦାବି ରଖିଛି । ଏଥିସହିତ ନିୟମାନୁଯାୟୀ ବାର୍ଷିକ ସାଧାରଣସଭା ରଥଯାତ୍ରା ପୂର୍ବରୁ ବା ଅପ୍ରେଲ ମାସ ସୁଦ୍ଧା ହେବାକୁ ଥିଲେ ମଧ୍ୟ ତାହା ନିୟମିତ କରାଯାଉନାହିଁ । ଏଣୁ ରଥଯାତ୍ରା ପୂର୍ବରୁ ସାଧାରଣ ସଭାର ଆୟୋଜନ କରାଯାଉ ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓଡ଼ିଶାର ଏକ ମୁଖ୍ୟ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନୀ ସ୍ଥଳୀ ଭାବେ ପରିଚୟ ସୃଷ୍ଟି କରିସାରିଥିବାରୁ ଏହାକୁ ଦେବୋତ୍ତର ବିଭାଗ ଅଧୀନକୁ ନିଆଯାଇ ରାଜ୍ୟ ସରକାର ଏହାର ବିକାଶ କରନ୍ତୁ ବୋଲି ମଧ୍ୟ ଜଗନ୍ନାଥ ସେନା ଦାବି କରିଛି । ଯେ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ୟାର ସମାଧାନ ନ ହୋଇଛି ଏ ଗଣଧାରଣା ଜାରି ରହିବ ସହିତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ଆନେ୍ଦାଳନ କରାଯିବ ବୋଲି ଜଗନ୍ନାଥ ସେନା ପ୍ରକାଶ କରିଛି ।