ଦେଓଗାଁ ଅଂଚଳ ବୁଲିଲେ ନରସିଂହ, ଲୋକଙ୍କୁ ଭେଟି ଶୁଣିଲେ ସମସ୍ୟା
ଲୋକଙ୍କ ସହିତ ରହି ସମସ୍ୟାର ସମାଧାନ ପାଇଁ ଲଢେଇ ହେବ:- ନରସିଂହ
ବଲାଙ୍ଗୀର : – ରାଜ୍ୟରେ ଦୀର୍ଘ ୨୪ ବର୍ଷର ସରକାରର ପତନ ହୋଇଛି । ନୂଆ ସରକାର ଆସିଛି । ଲୋକଙ୍କ ଅନେକ ଆଶା ବହୁଦିନରୁ ପଡ଼ି ରହିଥିବା ସମସ୍ୟାଗୁଡ଼ିକର ଅନ୍ତ ହେବ କିନ୍ତୁ ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନଥିବା ଲୋକେ ଅଭିଯୋଗ କରୁଛନ୍ତି । ତେଣୁ ଲୋକ ଭୋଗୁଥିବା ସବୁ ସମସ୍ୟା ସମାଧାନ ଯେପରି ହୋଇପାରିବ ସେ ସବୁକୁ ନେଇ ପ୍ରଶାସନ ଓ ସରକାର ସହିତ ସେ ନିଶ୍ଚିତ ଭାବରେ ଆଲୋଚନା କରିବେ ତାପରେ ଯଦି ପ୍ରଶାସନ କିମ୍ବା ସରକାର ନିଷ୍କ୍ରିୟ ରହିବେ ତେବେ ଲୋକଙ୍କୁ ନେଇ ସମସ୍ୟା ସମାଧାନ ପାଇଁ ଲଢ଼େଇ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ନରସିଂହ ମିଶ୍ର ଆଜି ଦେଓଗାଁ ବ୍ଲକ ଅଂଚଳର ଦେଓଗାଁ, ଜରାସିଂହା, ସାଲେପାଲି ଏବଂ ବରକାନି ଅଂଚଳରେ ଲୋକଙ୍କ ସହିତ ଆଲୋଚନାବେଳେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ମାଣଧିନ ରାସ୍ତା, ପିଇବା ପାଣି, ଜମିହୀନଙ୍କ ପାଇଁ ଜମି ଚିହ୍ନଟ, ଗରିବଙ୍କ ପାଇଁ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତା, ରାସନ କାର୍ଡ଼ ଇତ୍ୟାଦିକୁ ନେଇ ଲୋକେ ସବୁବେଳେ ଅଭିଯୋଗ କରୁଛନ୍ତି । ବିଭିନ୍ନ ସରକାରୀ ଯୋଜନାରେ ଆସିଥିବା ଅନୁଦାନ ଅଧିକାରୀଙ୍କ ଅପାରଗତା ହେଉ କିମ୍ବା ଜନପ୍ରତିନିଧିଙ୍କ ହୀନ ରାଜନୀତି ଦ୍ୱାରା ହେଉ ସମସ୍ତ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଅନେକ ଅନୁଦାନ କାର୍ଯ୍ୟାଦେଶ ପାଇ ମଧ୍ୟ ଅଟକି ପଡ଼ିରହିଛି । ଅନୁସନ୍ଧାନ ଓ ଆଲୋଚନାରୁ ଜଣାପଡ଼ୁଛି ସବୁ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ପାଇଁ ଜନପ୍ରତିନିଧିଙ୍କୁ ପିସି ନଦେଲେ କାମ ଆଗକୁ ବଢ଼ିପାରୁ ନାହିଁ । ଏପରି ପରିସ୍ଥିତି ଜାରି ରହିଲେ ବ୍ଲକ ଅଂଚଳକୁ ଆସୁଥିବା ଉନ୍ନୟନ ପ୍ରକଳ୍ପ ସବୁ ଲୋକଙ୍କ କାମରେ ଆସିବା ପରିବର୍ତେ ରାଜନେତା ଓ ବାବୁଙ୍କର ପକେଟ ଗରମ କରିବାରେ ଲାଗିବ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ତେଣୁ ଆଲୋଚନାବେଳେ ପୂର୍ବତନ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ଆମେ ପ୍ରଶାସନ ଓ ନୂତନ ସରକାରକୁ ଏସବୁ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନ ଯେପରି ସଠିକ ଭାବରେ ବିନିଯୋଗ ସେ ଉପରେ ଅନୁରୋଧ କରିବା । ନଶୁଣିଲେ ଆଗକୁ ଏହାର ସମାଧାନ ପାଇଁ ରାଜରାସ୍ତାରେ ଜୋରଦାର ଲଢ଼େଇ ପାଇଁ ଲୋକେ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ସେ କହିଥିଲେ । ଆଜିର ଏହି ଗସ୍ତ ସମୟର ବିଭିନ୍ନ ଗାଁରେ ଆଲୋଚନାବେଳେ ଜରାସିଂହା ଜମିଦାର ଦୁର୍ଗା ପ୍ରସାଦ ସିଂଦେଓ, ରାମଜୀ ଚୌଧୁରୀ, ବୈଶାଖୁ ମେହେର, ସମିତି ସଭ୍ୟ ଅମିତ ତ୍ରିପାଠୀ, ଟଙ୍କ ମେହେର, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କୈଳାସ ତାଣ୍ଡି, ସମିତି ସଭ୍ୟ ବିଶ୍ୱଜିତ ପାତ୍ର, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ରଙ୍କ ସମେତ ଗାଁମାନଙ୍କର ସଚେତନ ନାଗରିକମାନେ ଉପସ୍ଥିତ ଥିଲେ ।