ଅଟୋ ଉପରେ ଗଛ ପଡ଼ି ୨ ମୃତ
ବଲାଙ୍ଗୀର : ରାଜ୍ୟର ଏବେ ବିଭିନ୍ନସ୍ଥାନରେ ଟାଣ ଖରା ସାଙ୍ଗକୁ କାଳବୈଶାଖୀ ଜାରି ରହିଛି । ବିଭିନ୍ନସ୍ଥାନରେ ହାଲୁକା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍ ଆଠଗାଁ ରାସ୍ତାର କଂସବାହାଲ ଛକରେ ଏକ ଯାତ୍ରୀବାହୀ ଅଟୋ ଉପରେ ବିଶାଳକାୟ ନିମ୍ବ ଗଛ ପଡ଼ିଯିବାରୁ ଚାଳକଙ୍କ ସମେତ ୨ ଜଣଙ୍କର ମୃତୁ୍ୟ ହୋଇଛି । ଅଟୋରେ ବସିଥିବା ମୃତ ଯାତ୍ରୀ ଜଣକ ତଣ୍ଡାମୁଣ୍ଡାର ନନ୍ଦୀ ନନ୍ଦ ହୋଇଥିବା ବେଳେ ଚାଳକଙ୍କ ପରିଚୟ ମିଳିପାରିନାହିଁ ।
ସୂଚନା ଅନୁସାରେ ବଲାଙ୍ଗୀର ସହର ନିକଟ ଆଠଗାଁ ରାସ୍ତାର କଂସବାହାଲ ଦେଇ ଅଟୋଟି କଂସବାହାଲ ନିକଟରେ ପହଞ୍ଚିବା ପୂର୍ବରୁ କାଳବୈଶାଖୀ ଆରମ୍ଭ ହୋଇଥିଲା । ପ୍ରବଳ ବେଗରେ ପବନ ବହିବା ଯୋଗୁ ନିକଟରେ ଥିବା ଏକ ବିରାଟକାୟ ନିମ୍ବଗଛ ଉପୁଡ଼ି ଅଟୋ ଉପରେ ପଡ଼ି ଯାଇଥିଲା । ଫଳରେ ଅଟୋଟି ଚୁରମାର ହୋଇଯିବା ସହ ଅଟୋରେ ଥିବା ଚାଳକଙ୍କ ସମେତ ନନ୍ଦୀଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ପୁଇଁତଳା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚô ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।