ଖଣି ଅଞ୍ଚଳରେ ଶିକ୍ଷାର ବିକାଶ ବିପଥଗାମୀ ; ବିଭାଗୀୟ ଉଦାସୀନତା, ପଢାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ
କାଳିଆପାଣି : ଖଣି ଅଞ୍ଚଳରେ ଶିକ୍ଷାର ବିକାଶ ବିପଥଗାମୀ । ବିଭାଗୀୟ ଉଦାସୀନତାରୁ ଶିକ୍ଷାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ । କାଳିଆପାଣି ଅଞ୍ଚଳକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ôଥକ ଦୃଷ୍ଟିରୁ ପଛୁଆ ରଖିବାରେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ସମ୍ପୃକ୍ତ ଅଞ୍ଚଳର ଖଣି ମାଲିକମାନେ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି । ଏକ ଆକଳନକୁ ଯଦି ନିଆଯାଏ ତେବେ ଜଣାପଡେ଼ ଯେ ରାଁଷୋଳ ପଞ୍ଚାୟତ, କାଳିଆପାଣି ପଞ୍ଚାୟତ ଏବଂ କଅଁସ ପଞ୍ଚାୟତର ବହୁ ପୁରାତନ ସରକାରୀ ପ୍ରାଥମିକ ସ୍କୁଲ ଗୁଡ଼ିକୁ ଏକ ସୁପରିକୋଳ୍ପିତ ଯୋଜନା ଅନୁସାରେ କେତେକକୁ ବନ୍ଦକରି ଦିଆଗଲା ଏବଂ ଆଉ କିଛି ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାର ବ୍ୟବସ୍ଥା କରାଯାଇଛି । ତନ୍ମଧ୍ୟରୁ କଅଁସ ପଞ୍ଚାୟତ ଅନ୍ତର୍ଗତ କମର୍ଦା ସରକାରୀ ପ୍ରାଥମିକ ସ୍କୁଲ ଗୋଟିଏ । ଉକ୍ତ ସ୍କୁଲଟି ବିଗତ ୧୯୮୦ମସିହାରେ ସ୍ଥାପିତ କରାଯାଇଥିଲା । ବର୍ତ୍ତମାନ ଏହା କମର୍ଦା ମୁଣ୍ଡାସାହିରେ ମାତ୍ର କେଇଟି ପିଲାଙ୍କୁ ନେଇ ଦୁଇଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଗ୍ରାମର ଲୋକ ଏବଂ ଏହି ସ୍କୁଲର ଶିକ୍ଷୟିତ୍ରୀମାନଙ୍କ କହିବା ଅନୁଯାୟୀ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ସର୍ବମୋଟ୍ ୨୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏତେକମ ସଂଖ୍ୟାର ଛାତ୍ରଛାତ୍ରୀ କାହିଁକି ପ୍ରଶ୍ନ ହେବାରୁ ଗାଁ ଲୋକଙ୍କ ଉତ୍ତରଶୁଣି ଆଶ୍ଚର୍ଯ୍ୟ ପ୍ରତୀତ ହେବାକୁ ପଡେ଼ । ଗାଁ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ସ୍କୁଲକୁ ଗାଁର ଛୋଟଛୋଟ ପିଲାମାନେ ଆସିବାକୁ ଭୟ କରୁଛନ୍ତି । କାରଣ ଏହି ସ୍କୁଲଟି ବର୍ତ୍ତମାନ ଟାଟା କମ୍ପାନୀ ଏବଂ ଏହା ପୂର୍ବରୁ ବିସି ମହାନ୍ତି ଅଧିନରେ ଥିଲାବେଳେ କମର୍ଦା ଖଣି କାର୍ଯ୍ୟ ଚାଲିଥିଲା ବେଳେ ବଡ଼ବଡ଼ ମେସିନ ଓ ଗାଡ଼ି ମୋଟରର ଗର୍ଜନ ଏବଂ କମ୍ପନ ଯୋଗୁଁ ପିଲାମାନେ ଡରିକି ସ୍କୁଲ ଛାଡିବାକୁ ବାଧ୍ୟ ହେଉଛନ୍ତି । ୧୯୮୦ମସିହାରୁ ନିର୍ମିତ ସ୍କୁଲ ଘରର ଛାତରୁ ପାଣି ଗଳିବା ଏବଂ ବେଳେ ବେଳେ ସ୍ଲାପ ଖସି ପଡୁଥିବାରୁ ଶ୍ରେଣୀ ଗୃହରେ ପିଲାମାନେ ବସିବାକୁ ଡରୁଛନ୍ତି । ଆଉ ଏସବୁକୁ ବିଭାଗୀୟ ଅଧିକାରୀ, ଖଣି କର୍ତ୍ତୁପକ୍ଷ ଏବଂ ସ୍ଥାନୀୟ ଜନପ୍ରତିନିଧି ଜାଣି ଅଜଣା ପରି କାର୍ଯ୍ୟ କରୁଛନ୍ତି । ଜାଣିଶୁଣି ଉକ୍ତ ସ୍କୁଲଟିକୁ ଅଣଦେଖା କରି ସ୍ଥାନୀୟ ଆଦିବାସୀ ପିଲାଙ୍କ ମୌଳିକ ଅଧିକାର ଛଡ଼ାଇ ନେଉଛନ୍ତି । ଏହାହିଁ ବାସ୍ତବ ସତ୍ୟ ଯେ, ଏହି କାରଣ ଗୁଡିକ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀ ଖଣି ଅଂଚଳରୁ ପ୍ରତିବର୍ଷ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ବିଶେଷ କରି ବ୍ଲକ ସ୍ଥରୀୟ ଏବଂ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କ କାଳିଆପାଣି ଅଞ୍ଚଳର ଗରିବ ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ପ୍ରତି ଗୁରୁତ୍ୱ ନଦେବା ଏହାର ମୁଖ୍ୟ କାରଣ । ନଚେତ ଗୋଟିଏ ସ୍କୁଲର ଛାତରୁ ପାଣି ଗଳିବା ଆଉ ସ୍କୁଲକୁ ଆସିବାକୁ ଭୟ କରିବା ଭଳି ଯଦି ବାତାବରଣ ଥାଏ ତେବେ ସେଥିପାଇଁ କିଏ ଉତ୍ତରଦାୟୀ ହେବେ? ଏଣୁ ସାଧାରଣରେ ଚର୍ଚ୍ଚା ଚାଲିଛି ଯେ ଖଣି ଅଞ୍ଚଳର ଶିକ୍ଷାକୁ ଅତି ନିମ୍ନମାନର ଏବଂ ବିପଥଗାମୀ କରିବାରେ ଏଠାକାର ରାଜନେତା, ବିଭାଗୀୟ ଅଧିକାରୀ ଏବଂ କମ୍ପାନୀମାନେ ମୁଖ୍ୟତଃ ଦାୟୀ ।