ଦେବସ୍ଥଳୀରେ କୁଢ କୁଢ ଅଳିଆ ଆବର୍ଜନା
ଭୁବନେଶ୍ୱର:ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ରଣଜିତ୍ ପଞ୍ଚାୟତ ମଞ୍ଜୁରୀ ସ୍ଥିତ ଅପୂଜା ମହାଦେବ ପୀଠକୁ ଲାଗି କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଛି । ଏଥିରୁ ପଚା ଯୁକ୍ତ ଦୁର୍ଗନ୍ଧ ବାହାରୁଥିବା ବେଳେ ପୀଠକୁ ଆସୁଥିବା ଭକ୍ତମାନେ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି । ଏହାଛଡା ତିନି ନମ୍ବର ହାଇଲେବୁଲ କେନାଲ ରାସ୍ତାରେ ଯାଉଥିବା ପଥଚାରୀମାନେ ମଧ୍ୟ ଏକ ଅସ୍ୱାସ୍ଥ୍ୟକର ପରିବେଶକୁ ସାମ୍ନା କରୁଛନ୍ତି । ପଡ଼ିଥିବା ପଚା ଅଳିଆ ଯୋଗୁଁ ମଲା ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିପଦରେ ପଡୁଥିବା ଅଭିଯୋଗ ହେଉଛି । ସୂଚନା ମୁତାବକ ନିକଟ ପର୍ବତୀ ଘାଟ ଠାରେ ଜନୈକ ବ୍ୟକ୍ତି ଶୀତଳଭଣ୍ଡାର ପାଇଁ ସରକାରୀ ଭାବେ ଋଣ ଆଣି ଗୃହ ନିର୍ମାଣ କରିଥିଲେ । ସମୟକ୍ରମେ ବ୍ୟକ୍ତିଜଣକ କୌଶଳ କରି ସେଠାରେ ଏବେ ବୃହତ ଛତୁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ସେଠାରେ ପ୍ରାୟ ୨୦୦ରୁ ଅଧିକ ଶ୍ରମିକ ନିୟୋଜିତ ଥିବା ବେଳେ ଦୈନିକ କ୍ୱିଣ୍ଟାଲ କ୍ୱିଣ୍ଟାଲ ଛତୁ ଉତ୍ପାଦନ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଛତୁ ଚାଷ ପାଇଁ ଉତ୍ପାଦନ କେନ୍ଦ୍ରରେ ଛଣ ସମେତ ଅନ୍ୟାନ ରାସାୟନିକ ପଦାର୍ଥ ବହୁଳ ପରିମାଣରେ ବ୍ୟବହାର ହେଉଛି । ପରିତାପର ବିଷୟ ପାଣିଭିଜା ଛଣ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର ହୋଇ ସେଥିରୁ ଛତୁ ବାହାରିବା ପରେ ଅଦରକାରୀ ପଚାସଢା ପଦାର୍ଥ ଗୁଡିକ ଆଖପାଖ ସ୍ଥାନରେ ଫିଙ୍ଗା ଯାଉଛି । ବିଶେଷ କରି କେନାଲ ରାସ୍ତାର ଅପୂଜା ମହାଦେବ ଠାରେ କୁଢ଼କୁଢ଼ ପଚାସଢା ଛଣ ସହିତ ଅନ୍ୟାନ୍ୟ ଅଦରକାରୀ ନିକୃଷ୍ଟ ପଦାର୍ଥ ଗଦା ହେଉଛି । ଛତାବର ରାଜପଥ ପାର୍ଶ୍ୱରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଏପରିକି ଛତୁ ଉତ୍ପାଦନ କେନ୍ଦ୍ରରୁ ବାହାରୁଥିବା ପଚା ପାଣି ମଧ୍ୟ ନିକଟ ଡ୍ରେନେଜେ ନାଳରେ ନିର୍ଗତ ହେଉଛି । ବୁଲା ଗାଈଗୋରୁଙ୍କ ପାଇଁ ଏହା ବିପଦ ଆଣୁଥିବା ବେଳେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା କୁଢ଼କୁଢ଼ ଅଳିଆ ଯୋଗୁଁ ପଥଚାରୀ ମାନେ ଅସ୍ୱାସ୍ଥ୍ୟକର ପରିବେଶ ଦେଇ ଯାତାୟତ କରୁଛନ୍ତି । ଦୀର୍ଘ ମାସ ହେବ ଅଞ୍ଚଳରେ ଏଭଳି ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହେଉଥିବାବେଳେ ଛତୁ ଉତ୍ପାଦନ କେନ୍ଦ୍ର ପରିଚାଳକ ଏହାର ପ୍ରତିକାର କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି ।