ବିଜୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣା ବିଜେଡ଼ିର ପ୍ରତିବାଦ

ମାଲକାନଗିରି: ପାଟଣାଗଡରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତ ମାନେ ଜାଳିଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ସହ ଏହା ଏକ ବିରାଟ ଷଡଯନ୍ତ୍ର ବୋଲି ବିଜୁ ପ୍ରେମୀ ପ୍ରକାଶ କରିଛନ୍ତି । ତେବେ ଏଭଳି ଅପରାଧ ଅକ୍ଷମଣୀୟ ଅଟେ ଓ ଯାହା ୨୪ ବର୍ଷରେ ହୋଇନଥିଲା ତାହା ଏବେ ହେଉଛି ବୋଲି ଏହି ଘଟଣାକୁ ନିନ୍ଦା କରିଛନ୍ତି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭପତି ଓ ଦଳୀୟ କର୍ମୀ ମାନେ । ଯାହାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ତୀବ୍ର ପ୍ରତିବାଦ କରିଛନ୍ତି । ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ୱାଧୀନତା ଆନେ୍ଦାଳନର ଅନ୍ୟତମ ପୁରୋଧା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଭଳି ଅତ୍ୟନ୍ତ ଜଘନ୍ୟ ଓ ହୀନ କାର୍ଯ୍ୟ ନେଇ କୋଟି କୋଟି ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ବିଜୁ ବାବୁ କୌଣସି ଦଳର ନୁହଁନ୍ତି, ସେ ଓଡିÿଆ ଜାତିର ଜନନାୟକ । ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟିଦେଲେ, ପାଟଣାଗଡରେ ପ୍ରତିମୂର୍ତ୍ତି ଜାଳିଦେଲେ । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ସବୁକିଛି ପରେ ବି ରାଜ୍ୟ ବିଜେପି ମୋହନ ସରକାରଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତୁରନ୍ତ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେନେଇ ସରକାର ଯନôବାନ ହୁଅନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା , ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ, ବିଜେଡି ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ବରିଷ୍ଠ ନେତା ପ୍ରଫୁଲ୍ଲ ପଣ୍ଡା, ଲମ୍ବଧର ତୁରୁକ, ତାପଶ ନାୟକ, କେ. ରାହୁଲ, ଗାନ୍ଧୀ କୁମାର ପଣ୍ଡା ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।