ଦୋବଲ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

 ଧାମନଗର: ଧାମନଗର ବ୍ଲକର ଦୋବଲ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ସୋଧ ଗ୍ରାମର ଧରମ ପଡ଼ିଆ ନିକଟ ସରକାରୀ ଜମିରେ ଏହାର ଶିଳାନ୍ୟାସ କରିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆୟୋଜିତ କାର୍ଯ୍ୟକ୍ରମରେ ଦୋବଲ ସରପଞ୍ଚ ଅଶୋକ କୁମାର ପଣ୍ଡା, ସମିତି ସଭ୍ୟା ରୁନିଲତା ସାହୁ, ଧାମନଗର ଅତିରିକ୍ତ ତହସିଲଦାର ସାଇ ସିଲୋନା ଓ ଧାମନଗର ବିଡିଓ ବନ ବିହାରୀ ଦିନ୍ଦା ଉପସ୍ଥିତ ଥିଲେ । ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପୁର୍ବ ସରକାର ସମୟରେ ୩୩ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ତେବେ ସ୍ଥାନ ଚୟନରେ ବିବାଦରୁ ଉକ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରିନଥିଲା । ତେବେ ଦୀର୍ଘ ଦିନ ପରେ ଉକ୍ତ କାର୍ଯ୍ୟାଳୟ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । ତେବେ ୬ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି । 
ପ୍ରକାଶ ଥାଉକି ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଦୋବଲ ପଞ୍ଚାୟତକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ମୁସ୍ତଫାପୁର ନୂଆ ପଞ୍ଚାୟତର ରୂପ ନେଇଥିଲା । ଅବଶିଷ୍ଟ ଅଞ୍ଚଳକୁ ନେଇ ଦୋବଲ ପଞ୍ଚାୟତ ରହିଥିଲା । ହେଲେ ୨୦୧୭ ପୂର୍ବରୁ ଦୋବଲ ପଞ୍ଚାୟତର କାର୍ଯ୍ୟାଳୟ ମୁସ୍ତଫାପୁର ଅଞ୍ଚଳରେ ଥିବା ହାଟ ପାଖରେ ଥିଲା । 
ମୁସ୍ତଫାପୁର ନୂଆ ପଞ୍ଚାୟତ ହେବାରୁ ଦୋବଲର ଏହି ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟଟି ମୁସ୍ତଫାପୁର ପଞ୍ଚାୟତର କାର୍ଯ୍ୟାଳୟ ଭାବେ କାମ କରିଥିଲା । ସେପଟେ ଦୋବଲର ନିଜସ୍ୱ ପଞ୍ଚାୟତ ଅଫିସ ନଥିଲା । ସେବେ ଠାରୁ ଏଠାରେ ନୂଆ ପଞ୍ଚାୟତ ଅଫିସ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା । ଦୋବଲ ପଂଚାୟତରେ ନିଜସ୍ୱ ପଞ୍ଚାୟତ ଅଫିସ ନଥିବାରୁ ପଞ୍ଚାୟତର କୌଣସି ସରକାରୀ କାର୍ଯ୍ୟ ଠିକରେ ହୋଇ ପାରୁନଥିଲା । ସେଠାରେ ଥିବା  କମୁ୍ୟନିଟି ସେଣ୍ଟର କୁ ଅସ୍ଥାୟୀ ଭାବେ ଅଫିସ କରାଯାଇଥିଲା । ତେବେ ଗୁରୁବାର ପଂଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ସୋଧସ୍ଥିତ  କଲ୍ୟାଣ ମଣ୍ଡପକୁ ମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହାସହ ୫ଟି ପଞ୍ଚାୟତର ମହିଳା ମହାସଂଘ କାର୍ଯ୍ୟାଳୟ, ତିନିଟି ସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ ମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା ।