ବୁଢା ମହାଦେବ ପୀଠରେ ଜାଗର ଯାତ୍ରା
ତିହିଡ଼ି : ପ୍ରାଚୀନ ଐତିହ୍ୟରେ ସମୃଦ୍ଧ ଶୈବ ପୀଠ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ବାଂଶବାଗ ଗାଁର ବୁଢା ମହାଦେବ ବା ମୁକ୍ତେଶ୍ୱର ମହାଦେବ । ଜନଶୃତି ଅନୁସାରେ ଏଠାରେ ଦେବ ଦେବ ମହାଦେବଙ୍କ ଆବିର୍ଭାବ ହୋଇଥିଲା ଆଜକୁ ପ୍ରାୟ ୫ ଶହ ବର୍ଷ ତଳେ । ବର୍ତ୍ତମାନର ଶୈବ ପୀଠ ଥିବା ସ୍ଥାନରେ ସେତେବେଳେ ଏକ ରାଢ଼ୀ ପରିବାର ବସବାସ କରୁଥିଲେ । ସେମାନଙ୍କ ଘରେ ଥିବା ଢିଙ୍କି ଶାଳରେ ମାଳିଆଣୀ ନାମ୍ନୀ ଜଣେ ବୃଦ୍ଧା ଚୂଡ଼ା କୁଟୁଥିଲେ । ବର୍ତ୍ତମାନ ଶିବ ଲିଙ୍ଗ ଥିବା ସ୍ଥାନଟିକୁ ବୃଦ୍ଧା ଢିଙ୍କି ଖୋଳଭାବେ ବ୍ୟବହାର କରୁଥିଲେ । ଶୁଣାଯାଏ ବୃଦ୍ଧା ଯେତିକି ଧାନ ପଣୁଥିଲେ ତାହାର ଦୁଇ ଗୁଣା ଚୂଡା ଉକ୍ତ ଖୋଳରୁ ବାହାରୁଥିଲା । ପରେ ବାଂଶବାଗ ଗାଁର ମଲ୍ଲିକ ପରିବାରକୁ ମହାଦେବ ସ୍ୱପ୍ନାଦେଶ ଦେଇ ନିଜର ଅସ୍ତିତ୍ୱ ସମ୍ପର୍କରେ କହିବା ସହ ପୂଜାର୍ଚ୍ଚନା କରିବାକୁ କହିଥିଲେ । ସୟା ପାଢୀସାହିର ମୁକ୍ତେଶ୍ୱର ପାଢୀ ନାମକ ଜଣେ ବ୍ରାହ୍ମଣଙ୍କ ସହାୟତାରେ ପୂଜା କରିବା ସହ ତାଙ୍କ ନାମ ଅନୁସାରେ ତାଙ୍କୁ ମୁକ୍ତେଶ୍ୱର ମହାଦେବ ନାମରେ ନାମିତ କରିବାକୁ ମଧ୍ୟ ସ୍ୱପ୍ନରେ ଆଦେଶ ହୋଇଥିଲା । ପ୍ରଥମେ ଏକ ଚାଳଛପର ଘରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଉଥିଲା । ପରେ ଗ୍ରାମବାସୀଙ୍କ ସହାୟତାରେ ଏଠାରେ ଏକ ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କରାଯାଇଥିଲା । ସେହିଦିନ ଠାରୁ ସେଠାରେ ପୂଜା ପାଇ ଆସୁଛନ୍ତି ମୁକ୍ତେଶ୍ୱର ମହାଦେବ । ଏବେ ପାଢୀ ବଂଶର ଦାୟାଦ କ୍ଷୀରସିନ୍ଧୁ ପାଢ଼ୀ ସ୍ଥାୟୀ ପୂଜକ ଦାୟିତ୍ୱରେ ଅଛନ୍ତି । ବାଂଶବାଗ ଗ୍ରାମ ମଙ୍ଗଳ ସେବା ସମିତି ସଭାପତି ନବଘନ ପାତ୍ର, ସମ୍ପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ଶୁକଦେବ ବେହୁରିଆ, ଶୁଭେନ୍ଦୁ ମଲ୍ଲିକ, ଅଜୟ ନାୟକ, ସୁରେନ୍ଦ୍ର ନାୟକ, କୈଳାସ ମହାଳିକ, ଅଜିତ୍ ସେଠୀ, ବିଜୟ ଭୋଇ, ରାଜୁ ମହାନ୍ତି, ରବିନ୍ଦ୍ରମହନ୍ତି ପ୍ରମୁଖ ଯୁବଗୋଷ୍ଠୀ ଓ ଗ୍ରାମବାସୀମାନେ ପରି·ଳନା କରିଥିଲେ । ତେବେ ଚଳିତ ବର୍ଷ ମହାଆଡ଼ାମ୍ବର ଭାବେ ବିଭିନ୍ନ ଶୈବ ପୀଠରେ ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପୀଠରେ ତିହିଡ଼ି ସତ୍ୟସାଇ ସେବା ସମିତି ପକ୍ଷରୁ ଦିବସବ୍ୟାପୀ ଯାତ୍ରୀମାନଙ୍କ ଶୃଙ୍ଖଳା, ସଫେଇ ଆଦି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଉକ୍ରଳମଣି ସେବା ସଂଘ ଯାତ୍ରୀମାନଙ୍କୁ ପଣା ପ୍ରଦାନ କରାଯାଇଥିଲା ।