ଦୟନୀୟ ହେଇଛି କଣିପଡ଼ା କଣ୍ଟୁଣିଆ ରାସ୍ତା
ନାଉଗାଁ: ନାଉଗାଁ ବ୍ଲକ୍ ଅନ୍ତର୍ଗତ କଣିପଡ଼ାରୁ କଣ୍ଟୁଣିଆହାଟ ପର୍ଯ୍ୟନ୍ତ ରାସ୍ତାଟି ଏବେ ଦୟନୀୟ ଅବସ୍ଥାରେ ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ୩ କିଲୋମିଟର ରାସ୍ତାର ଧମିଲାପାରି ନିକଟରୁ କଣ୍ଟୁଣିଆ ବଜାର ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଥିବାରୁ ସାଧାରଣ ଲୋକଙ୍କ ପାଇଁ ଏହି ରାସ୍ତାରେ ଯାତାୟାତ କରିବାରେ ବଡ଼ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ କଣିପଡ଼ା ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନ, କଣ୍ଟୁଣିଆହାଟ ଉଚ୍ଚ ବିଦ୍ୟାଳୟ, ସରକାରୀ ହୋମିଓପାଥିକ ଚିକିତ୍ସାଳୟ, ଫକୀରମୋହନ ପାଠାଗାର, କଣ୍ଟୁଣିଆହାଟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତାର ଗୁରୁତ୍ୱ ରହିଛି । ଏଥିସହିତ ପ୍ରତି ସପ୍ତାହରେ ଦୁଇଦିନ କଣ୍ଟୁଣିଆ ବଜାରରେ ହାଟ ବସୁଥିବା ବେଳେ ଆଖପାଖ ଅଞ୍ଚଳର ଜନସାଧାରଣ ମଧ୍ୟ ହାଟକୁ ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ ଅଟନ୍ତି । ଏଣୁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରାଯିବାକୁ ସାଧାରଣରେ ଦାବି ହୋଇଛି ।