କଷାଫଳ-ପରଖିରେ ନୂତନ ପାୱାର ଷ୍ଟେସନ ସ୍ଥାପନ 

 ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର କଷାଫଳ ଓ ପରିଖି ଠାରେ ନୂତନ ୩୩/୧୧କେଭି ପାୱାର ଷ୍ଟେସନ ସ୍ଥାନ ବିଳମ୍ବିତ ହେବାର କାରଣ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ଦୁଇଟି ପିଏସଏସ ସ୍ଥାପନ ପାଇଁ ଶକ୍ତି ବିଭାଗକୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଟିପିଏନଓଡିଏଲ ପକ୍ଷରୁ ସମ୍ପୃକ୍ତ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହୋଇ ସାରିଥିଲେ ବି ଏହା ବିଳମ୍ବିତ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ଦୁଇ ପ୍ରକଳ୍ପର ସ୍ଥିତାବସ୍ଥା ସହ କେବେ କାର୍ଯ୍ୟକାରୀ ହେବ ସେ ବିଷୟରେ ତଥ୍ୟ ପ୍ରଦାନ ନିମନ୍ତେ ବିଧାୟକ ଶ୍ରୀ ଦତ୍ତ ନିବେଦନ କରିଥିଲେ । ଏହା ସହିତ ବାଲେଶ୍ୱର ଜିଲ୍ଲାରେ ସୁଦୀର୍ଘ ବେଳାଭୂମି ଉତ୍ତମ ବାୟୁ ଓ ଉତ୍ତାପ ପ୍ରବଣ ସ୍ଥାନ ହୋଇଥିବାରୁ ଉପକୂଳ ଅଞ୍ଚଳରେ ୱିଣ୍ଡ ମିଲ୍ ଓ ସୋଲାର ପ୍ଲାଂଟ ସ୍ଥାପନ ସହ ବିଦୁ୍ୟତ୍ ଉତ୍ପାଦନ ପାଇଁ ସରକାରଙ୍କ ନିକଟରେ ଥିବା ଯୋଜନା ସମ୍ପର୍କରେ ବିବରଣୀ ଦେବାକୁ ସେ ଅନୁରୋଧ କରିଥିଲେ । ରାଜ୍ୟର ଅନ୍ୟ ଉପକୂଳ ଅଂଚଳରେ ୱିଣ୍ଡ ମିଲ୍ ଓ ସୋଲାର ପ୍ଲାଂଟ ସ୍ଥାପନ ସମ୍ଭବ ହେଉଥିବା ବେଳେ ଶକ୍ତି ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରତି ଆନ୍ତରିକତା ଅଭାବର କାରଣ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ । ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, କଷାଫଳ ପଂଚାୟତର ଲୋ-ଭୋଲଟେଜ ସମସ୍ୟା ସହ ବିଦୁ୍ୟତ୍ ସରବରାହ ଜନିତ ବାଧା ଦୂରୀକରଣ ପାଇଁ ଲଙ୍ଗଳେଶ୍ୱର ୩୩/୧୧ କେଭି ସବ୍-ଷ୍ଟେସନରୁ ନୂତନ ୧୧କେଭି ଫିଡର ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି । ଏହି ପ୍ରକଳ୍ପକୁ ୨୦୨୫-୨୬ ଆର୍ଥିକ ବର୍ଷ କ୍ୟାପେକ୍ସରେ ସାମିଲ କରାଯିବା ନେଇ ଯୋଜନା ରହିଛି । ଏହା ସହିତ ଅଟୋମେଟିକ ଭୋଲଟେଜ୍ ରେଗୁଲେଟର ଲଗାଯିବାର ସର୍ଭେ କାର୍ଯ୍ୟ ଓ ସ୍ଥାନ ନିରୂପଣ ହୋଇସାରିଛି । କଷାଫଳ ଠାରେ ନୂତନ ୩୩/୧୧କେଭି ପାୱାର ଷ୍ଟେସନ ସ୍ଥାପନା ପାଇଁ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ ଜାରି ରହିଛି  । ଦୁଇ ପ୍ରକଳ୍ପକୁ ୨୦୨୫-୨୬ ଆଥିକ ବର୍ଷରେ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି । ସେହିପରି ପରିଖି ଅଂଚଳରେ ବିଦୁ୍ୟତ୍ ସରବରାହ ବ୍ୟବସ୍ଥାର ଉନ୍ନତି ପାଇଁ ହଳଦୀପଦାର ୧୧କେଭି ଫିଡରକୁ ଦୁଇ ଭାଗରେ ବିଭକ୍ତ ସହ ରୁପ୍ସା ପିଏସଏସରୁ ଲାଇନ ଚାର୍ଜ ହୋଇସାରିଛି । ଏହା ସହିତ ଛାନୁଆ ପିଏସଏସରୁ ୫କିଲୋମିଟର ନୂଆ ୧୧କେଭି ଲାଇନ ବିଛାଯିବା କାର୍ଯ୍ୟ ୨୦୨୫-୨୬ ଆଥିକ ବର୍ଷ କ୍ୟାପେକ୍ସ ଯୋଜନାରେ ସାମିଲ କରାଯିବ । ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ ଜାରି ରହିଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଏବଂ ଭୋଗରାଇରେ ପବନ ସମ୍ପଦ ମୂଲ୍ୟାଙ୍କନ ମାଷ୍ଟ (ୱିଣ୍ଡ ରିସୋର୍ସ ଆସଏସମେଂଟ ମାଷ୍ଟ) ବସାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି  ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି ।