ଧର୍ମଶାଳାରେ ସ୍ୱଳ୍ପ ବୃଷ୍ଟିପାତ
ଧର୍ମଶାଳା : ଅନ୍ୟ ବ୍ଲକ ତୁଳନାରେ ଧର୍ମଶାଳାରେ ଜୁଲାଇ ସ୍ୱଳ୍ପ ବୃଷ୍ଟି୍ପପାତ ହୋଇଛି । ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ଧର୍ମଶାଳା ବ୍ଲକରେ ମାତ୍ର ୫୦ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସୁକିନ୍ଦା ବ୍ଲକରେ ସର୍ବାଧିକ ୨୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛିା ବର୍ଷା କମ ହେବା ଫଳରେ ଧାନ ଚାଷ ବାଧାପ୍ରାପ୍ତ ହୋଇଛି । ଅଧିକ ପରିମାଣରେ ବର୍ଷା ହେଲେ ଚାଷୀ ବିଲରେ କାଦୁଅ କରି ତଳି ରୋଇବା କାର୍ଯ୍ୟ ଆରମ୍ଭ କରିଥାନ୍ତି । ହେଲେ ଏଠାରେ ଆବଶ୍ୟକ ଠାରୁ କମ ବୃଷ୍ଟିପାତ ହେବା ଫଳରେ ଚାଷ କାମ ବାଧାପ୍ରାପ୍ତ ହୋଇଛି । ଚଳିତଥର ମୌସୁମୀ ଶୀଘ୍ର ଆସିବା ସହିତ ଜୁନ ମାସରୁ ଚାରିଆଡେ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଚାଷୀ ନିଜ କ୍ଷେତରେ ଆବଶ୍ୟକ ତଳି ପକାଇ ରୋଇବା ପାଇଁ ବିଲ ପ୍ରସ୍ତୁତ କରିଥିବା ବେଳେ ବର୍ଷା କମ ହେବାରୁ ତଳି ରୁଆ ସମ୍ଭବପର ହେଉନାହିଁ । ଚଳିତଥର ଧର୍ମଶାଳା ବ୍ଲକ ଅଂଚଳରେ ୧୧ ହଜାର ୭୨୦ ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ସରକାରୀ ଭାବେ ଲକ୍ଷ୍ୟ ରଖାଯାଇଛି । ତେବେ ଆବଶ୍ୟକ ବର୍ଷା ହେଲେ ଚଳିତଥର ଶତ ପ୍ରତିଶତ ଜମିରେ ଧାନ ଚାଷ କରାଯାଇ ପାରିବ ବୋଲି କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ କେନାଲ ମାଧ୍ୟମରେ ଜଳ ସେଚନର ସୁବିଧା ଥିବା ଜମି ଗୁଡିକ ପାଇଁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲେ ହେଁ କେନାଲ ସଫେଇ କାର୍ଯ୍ୟ ବିଳମ୍ବ ହେଉଥିବାରୁ କେନାଲ ଗୁଡିକରେ ପାଣି ଆସିବା ବିଳମ୍ବ ହେଉଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଯଥାଶୀଘ୍ର କେନାଲ ସଫେଇ କାର୍ଯ୍ୟ ସାରି ବିଲକୁ ପାଣି ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।