ଧାନ ବିଲରେ ପଶିଲା ନିକେଲ ମାଟି, ଚିନ୍ତାରେ ଚାଷୀ
କାଳିଆପାଣି : ଖଣି ଅଂଚଳରେ ଚାଷକୁ ନିର୍ଭର କରି ଚଳୁଥିବା ଚାଷୀମାନଙ୍କ ମୁଣ୍ଡରେ ଅଚାନକ ଚଡ଼କ ପଡିଛି । ଲଗାଣ ବର୍ଷାରେ କାଳିଆପାଣି ଠାରେ ଥିବା ସୁକୁରୁଙ୍ଗୀ କ୍ରୋମାଇଟ ମାଇନ୍ସର ମାଟି ଡମ୍ପ ଭୁସୁଡ଼ି ପଡିଥିଲା । ଏହାର ପ୍ରଭାବରେ ମାଟି ଡମ୍ପ ଉପରେ ଥିବା କ୍ରୋମାଇଟ ମିଶ୍ରିତ ବିଷାକ୍ତ ନିକେଲ କାଦୁଅ ପାଣି ଡମଶାଳ ନାଳକୁ ବୋହି ଯାଇଥିଲା । ଉକ୍ତ ନିକେଲ ମିଶ୍ରିତ କାଦୁଅ ଗୁଡିକ ଡମଶାଳ ନାଳରେ ବୋହିଯାଇ କଲରଙ୍ଗୀ ଠାରେ ଥିବା ଚେକ ଡ୍ୟାମ ଭିତରେ ଜମା ହୋଇଥିଲା । ଉକ୍ତ ଚେକ ଡ୍ୟାମରୁ କେନାଲ ଯୋଗେ ଜଳସେଚନ କରୁଥିବା କଲରଙ୍ଗୀ ଅତା ଗାଁର ଅନେକ ଚାଷୀଙ୍କ ଧାନ ବିଲରେ ସେଇ କାଦୁଅ ପାଣି ମାଡି ଯାଇଥିଲା । ବର୍ତମାନ ଚାଷୀମାନେ ରୁଆ ବେଉଷଣ ଶେଷକରି ବିଲରେ ୟୁରିଆ ସାର ମାରି ସାରିଛନ୍ତି । ଏବଂ ଧନଗଛ ପିଲ ମାରିବାକୁ ବସିଲାଣି । ଏହି ସମୟରେ ଯଦି ନିକେଲ ମାଟି ବିଲରେ ମାଡ଼ିଯାଏ ତେବେ ଧାନ ଫସଲ ନଷ୍ଟ ହୋଇଯିବ ଏଥିରେ ସନେ୍ଦହ ନାହିଁ । କେବଳ ଯେ ଜଣେ ଦୁଇଜଣ ଲୋକଙ୍କ ଧାନ ଫସଲ ନଷ୍ଟ ହୋଇଯିବ ତା ନୁହଁ ଶହଶହ ଚାଷୀଙ୍କ ଧାନ ବିଲରେ ନିକେଲ ମାଟି ମିଶିଯାଇଥିବାରୁ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି । ଚାଷୀଙ୍କ କ୍ଷତିକୁ କିଏ ଭରଣା କରିବ ।