ଅଦିନିଆ ବର୍ଷାରେ ଫସଲ ନଷ୍ଟ
ନିଆଳି: ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିବା ଫଳରେ ନିଆଳି ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଦିନିଆ ବର୍ଷା ଫଳରେ କ୍ଷେତରେ ଅମଳ ପାଇଁ ଥିବା ଶହ ଶହ ଏକର ପାଚିଲା ଧାନ ଓ ପନିପରିବା, ରବି ଫସଲ ବିରି, କୋଳଥ ଫସଲ ନଷ୍ଟ ହେବା ନେଇ ଚାଷୀ ଚିନ୍ତାରେ ପଡିଛି । ନିଆଳି ବ୍ଲକ୍ରେ ୧୦ ହଜାରରୁ ଊଦ୍ଧ୍ୱର୍ ଜମିରେ ଧାନ ଚାଷ କରାଯାଇଥିବାବେଳେ ତଳିଆ ଅଞ୍ଚଳରେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ବିଲରେ ପଡିଥିବା କଟା ହଳା ପାଣିରେ ଭାସୁଛି । ନିଆଳି ବ୍ଲକ୍ ଦେବୀ-କନ୍ଦଳ ଦ୍ୱୀପାଞ୍ଚଳର ନାଟୀ, ପଳସା, କାଳଖ, ଏକବେରୁଆଁ, ସୁଦାନଗର, ବଛସାଇଲୋ, ସିଠାଳୋ, କଟକଟା, ସୁଆଁଲୋ, କରଞ୍ଜ, ଅମରପଡା, ଦୀଘି, ଶେଳଦା, ଶଗଡାଇଲୋ, ରାଣୀଓଳା, ବିଳାସୁଣୀ, ପହଙ୍ଗା, ପୋଖରୀଗାଁ, ଆଦି ତଳୁଆ ଅଞ୍ଚଳର ଧାନ ବିଲ ପାଣିରେ ବୁଡିଛି । କଟାଯାଇଥିବା ଧାନ ହଳା ପାଣିରେ ବୁଡିଛି । ଧାର, ଉଦ୍ଧାର, ବ୍ୟାଙ୍କ୍ ଋଣ, ହାତ ଉଧାରୀ କରି ଧାନ ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାଳଖ ଗ୍ରାମର ତ୍ରିନାଥ ଦାସ, ଶଶି ଭୂଷଣ ସ୍ୱାଇଁ, ମଣ୍ଟୁ କିଶୋର ସ୍ୱାଇଁ, ସୁଧାନଗରର ହେମନ୍ତ ସାହୁ, ହେମନ୍ତ ସ୍ୱାଇଁ, ବାବାଜୀ ବଡୁ ଓ ପଳସାର ତପନ ନାୟକ ସମେତ ଶତାଧିକ ଚାଷୀଙ୍କ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି । ସେହିପରି ପରିବା ଫସଲ କୋବି, ଟମାଟୋ, ପୋଟଳ, ବାଇଗଣ, ଲଙ୍କା, ବିନ ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି ବୋଲି ଚାଷୀ କୁହନ୍ତି ।