ଧାନ ମଣ୍ଡିକୁ ନେଇ ବିବାଦ, ଧାରଣାରେ ଖେଳାଳୀ

 ହିଞ୍ଜିଳିକାଟୁ: ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗାଁ ରେ ଆରଏମସି ମାକେର୍ଟ ୟାର୍ଡରେ ଖରିଫ ଧାନ ସଂଗ୍ରହ ପାଇଁ  ମଣ୍ଡି ଖୋଲିବାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି । ସେଠାରେ  ଭଳିବଲ ଖେଳୁଥିବା ଖେଳାଳୀ ମାନେ ଉକ୍ତ ସ୍ଥାନରେ ମଣ୍ଡି ଖୋଲିବାକୁ ବିରୋଧ କରି ସୋମବାର ସଂଧ୍ୟାରେ ହିଞ୍ଜିଳିକାଟୁ ଆରଏମସି ଅଫିସ ସାମନାରେ ଧାରଣାରେ ବସିଛନ୍ତି ।  ଖେଳାଳିଙ୍କ ଯୁକ୍ତି ହେଲା ସେମାନେ ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନରେ ଖେଳୁଛନ୍ତି । ପଡିଆ ସମତୁଲ ଇତ୍ୟାଦି ଖର୍ଚ୍ଚ କରିଛନ୍ତି । ସେମାନଙ୍କୁ ନ  ଜଣାଇ ଆର୍.ଏମ୍. ସି କର୍ତ୍ତୃପକ୍ଷ ସେଠାରେ ଧାନ ମଣ୍ଡି ଖୋଲିବାକୁ ବାଉଁଶ ଟେଣ୍ଟ ଭିଡୁଛନ୍ତି । ଅନ୍ୟତ୍ର ଏହାକୁ ନ ଘୁଞ୍ଚାଇଲା ପର୍ଯ୍ୟନ୍ତ ସେମାନେ ଧାରଣା ଦେବେ । ମାର୍କଣ୍ଡ ପାଣିଗ୍ରାହୀଙ୍କ ସମେତ ରାଳବ ଗାଁର  ୧୧ଜଣ ଯୁବକ ଧାରଣାରେ ବସିଛନ୍ତି ।ଅନ୍ୟ ପକ୍ଷରେ ଚଳିତ ବର୍ଷ ରାଜ୍ୟ ସରକାର ଧାନ ମଣ୍ଡି ଜରିଆରେ ମିଲର ଧାନ ସଂଗ୍ରହ ପାଇଁ କଡ଼ା ନିଦେ୍ର୍ଦଶ କରିଛନ୍ତି । ରାଳବ ଓ ନନ୍ଦିକ ପଞ୍ଚାୟତ ନିମନ୍ତେ ନନ୍ଦିକ ପ୍ରାଥମିକ ସେବା ସମିତି ଜରିଆରେ ଏକ ଧାନ ମଣ୍ଡି ଖୋଲିବାକୁ ଆର୍ ଏମ୍ ସି ହିଞ୍ଜିଳିକାଟୁ ପକ୍ଷରୁ ପ୍ରୟାସ କରାଯାଇଛି । ରାଳବ ଠାରେ ଆରଏମସି ହିଞ୍ଜିଳିକାଟୁ ର ଏକ ମାକେର୍ଟ ୟାର୍ଡ ରହିଛି । ସେଠାରେ ଉତ୍ତମ ମାର୍କେଟ କୋଠା ରହିଛି । ତେଣୁ ଚାଷୀଙ୍କ ସୁବିଧା ଓ ଧାନ ମଣ୍ଡି ସମୟରେ ଧାନର ସୁରକ୍ଷା ପାଇଁ ଉକ୍ତ ସ୍ଥାନଟି ଉପଯୁକ୍ତ ହେବ । ସେଥିପାଇଁ ଧାନ ମଣ୍ଡି ଖୋଲିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ଆରଏମସି କର୍ମଚାରୀ ସଞ୍ଜୟ ପଣ୍ଡା କହିଛନ୍ତି । କିନ୍ତୁ ଆର୍ଏମ୍ସି ସେକ୍ରେଟାରୀ ଅନୁପସ୍ଥିତ ଅଛନ୍ତି  । ଧାରଣାରେ ବସିଥିବା ଯୁବକ ମାନଙ୍କ ସହ ଆର୍ଏମ୍ସି କର୍ମଚାରୀ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଜଣେ ବରିଷ୍ଠ ଭାଜପା ନେତାଙ୍କ ବୁଝାସୁଝା ଓ ହସ୍ତକ୍ଷେପ ପରେ ଯୁବକ ମାନେ ଧାରଣାରୁ ଉଠିଛନ୍ତି ।