ରାଜ୍ୟସ୍ତରରେ ରଘୁନାଥ ହାଇସ୍କୁଲ ପ୍ରଶଂସିତ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ପଞ୍ଚାୟତ ଅଧୀନ ରାଇକମା ରଘୁନାଥ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶୁଭଙ୍କର ବେହେରାଙ୍କ ପ୍ରକଳ୍ପ "ହାଇ ଟେକ୍ ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ୍ ଡିଭାଇସ୍’ ରାଜ୍ୟସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ବେଶ୍ ପ୍ରଶଂସିତ ହୋଇଛି । ଏହି ଇକୋ ମଡେଲ ସ୍କୁଲର ପ୍ରଧାନଶିକ୍ଷକ ତଥା ଜିଲ୍ଲା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ଅଜିତ୍ ଜେନାଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ହୋଇଥିଲା । କିପରି ଭାବେ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ, ତାହା ଏଥିରେ ଦର୍ଶାଯାଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ "ବିଶ୍ୱ ପରିବେଶ ଦିବସ-୨୦୨୫’ ପାଳନ କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନସଚିବ ସୁରେନ୍ଦ୍ର କୁମାର, ସତ୍ୟବ୍ରତ ସାହୁ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ସଚିବ ଉମା ନନ୍ଦୁରି, ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ ଓ ସେଣ୍ଟର୍ ଅଫ୍ ଏନଭରମେଣ୍ଟାଲ୍ ଷ୍ଟଡିଜ୍ ନିଦେ୍ର୍ଦଶକ ଡ. କେ ମୁରୁଗେସନ ପ୍ରମୁଖ ଯୋଗଦେଇ ଶୁଭଙ୍କରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପଟିକୁ ଖୁବ୍ ପ୍ରଶଂସା କରିଥିଲେ । ରାଜ୍ୟର ୩୦ଗୋଟି ଜିଲ୍ଲାରୁ ମୋଟ୍ ୩୦ଟି ଇକୋ ମଡେଲ୍ ଏହି ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରୁ ଏକ ମାତ୍ର ପ୍ରକଳ୍ପ ଭାବେ ରଘୁନାଥ ହାଇସ୍କୁଲର ପ୍ରକଳ୍ପ ଅଂଶ ଗ୍ରହଣ କରି ଜିଲ୍ଲା ତଥା ସ୍କୁଲକୁ ଗୌରବାନ୍ୱିତ କରିପାରିଛି ।