କ୍ରସର ମାଲିକଙ୍କୁ ସୁହାଉଛି ପ୍ରଦୂଷଣ ଅଧିକାରୀଙ୍କ ନିରବତା
କବାଟବନ୍ଧ, : ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଅନେକ ଖଣି ଓ କ୍ରସରକୁ ପରିବେଶ ମଞ୍ଜୁରୀ ପଦୂଷଣ ବିଭାଗ ପକ୍ଷରୁ ଦିଆଯାଇଛି । ସରକାର ଲଘୁ ଖଣିଜ ପଦାର୍ଥରେ ସ୍ୱଚ୍ଛତା ଆଣିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି । ଦେଖିବାକୁ ଗଲେ ତୃଣମୂଳ ସ୍ତରରେ ସରକାରୀ ନୀତି ନିୟମର ଧଜିଆ ଉଡାଯାଉଛି । ସରକାରୀ ନିୟମକୁ ବାବୁମାନେଫୁ କରି ଉଡାଇ ଦେଉଛନ୍ତି । ସମସ୍ତ ନୀତିନିୟମ ଅନୁଯାୟୀ ପରିବେଶ ମଞ୍ଜୁରୀ ପାଳନ କରିନଥାନ୍ତି କ୍ରସର ଓ ଖଣି ବ୍ୟବସାୟୀ । ଅନେକ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଚୁପ ରହିଥାନ୍ତି । ଧର୍ମଶାଳା ତହସିଲର ଚଡେଇଧରା, ଲୁଣିବେର, ବରଡ଼ା, ବାଜବାଟୀ, ବିଛାଖଣ୍ଡି, କୁସୁନପୁର, ମାଣ୍ଡିଆଗଡା, ଡଙ୍କାରୀ, ରାହାଡ଼ପୁର, ଆରୁହା ଭଳି ଅନେକ କ୍ରସର ଛତୁ ପୁଟିଲା ପରି ଗଢି ଉଠିଛି । ନିର୍ଦ୍ଦିଷ୍ଟ କେତେ କ୍ରସରକୁ ଛାଡିଦେଲେ ବାକି ସମସ୍ତ କ୍ରସର ନିୟମ ବାହାରେ ରହିକାମ କରୁଥିବା ଅଭିଯୋଗ ହୋଇଆସୁଛି । ସେମାନେ ପୂର୍ବରୁ ଆଇନ କାନୁନକୁ ଫାଙ୍କିଦେଇ ଦୀର୍ଘ ବର୍ଷ ହେବ ନିଜର ସାମ୍ରାଜ୍ୟ ଚଳାଇ ଆସୁଛନ୍ତି । ବଡବଡ଼ିଆ ଅଧିକାରୀଙ୍କ ଚତୁରତା ଯୋଗୁ ଧର୍ମଶାଳା ତହସିଲ ଅଂଚଳରେ କୋଟି କୋଟି ଟଙ୍କାର ଲୁଟ୍ ଚାଲିଛି । ଯେଉଁଥିପାଇଁ ପୂର୍ବରୁ ପ୍ରଶାସନ ଅନେକ କ୍ରସରକୁ କାରଣ ଦର୍ଶାଅ ନୋଟିସ ଦେବା ସହିତ ବଳ ପ୍ରୟୋଗ କରି ଭାଙ୍ଗି ଦେଇଥିଲା । ହେଲେ ପରେ ରାଜନୈତିକ ଚାପ ଏବଂ ନେଣ ଦେଣରେ ଚାଲିଥିବା କ୍ରସର ପ୍ରଦୂଷଣର ସମସ୍ତ ନିୟମ କାନୁନକୁ ଫୁ କରି ଦୀର୍ଘ ବର୍ଷ ଧରି ଚାଲୁଛି । ଏହି କିଛି ଦିନ ହେବ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗ ହାତକୁ ଲଘୁ ଖଣିଜ ପଦାର୍ଥ ହାତକୁ ହସ୍ତାନ୍ତର ହୋଇଛି । ଖଣି ବିଭାଗ କ୍ରସର ମାନଙ୍କରେ ଆବଶ୍ୟକତା ଠାରୁ ଅଧିକ କଳାପଥର ଗଛିତ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଥିବା ବେଳେ ପଦୂଷଣ ବିଭାଗ କିନ୍ତୁ ପୁରା ଚୁପ ବସିଛି । ଯାହା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଅନେକ ସମୟରେ କ୍ରସର ଧୂଳି, ଧୂଆଁରେ ପରିବେଶ ପଦୂଷଣ ବଢ଼ିବାରେ ଲାଗିଛି । ଜଣେ ସରକାରୀ କର୍ମଚାରୀ ୩ ବର୍ଷ ଗୋଟିଏ ଜାଗାକୁ ଅନ୍ୟତ୍ର ବଦଳି ହେବାର ନିୟମ ରହିଛି । ହେଲେ ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟ କଳିଙ୍ଗନଗରରେ କାର୍ଯ୍ୟରତ ଅଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି ଗାଦିମାଡ଼ି ବସିଛନ୍ତି । ଏହି ଜିଲାରେ ଦୀର୍ଘ ଦିନ ରହିବା ପରେ ଧର୍ମଶାଳା ତହସିଲ ଅଧୀନରେ ଦିଆଯାଇଥିବା ପରିବେଶ ମଞ୍ଜୁରୀ ଉପରେ ସେଭଳି କିଛି ନିୟମ ଉଲ୍ଲଂଘନକାରୀ ଉପରେ ଆଖିଦୁଷିଆ ପଦକ୍ଷେପ ଗ୍ରହଣ କରିଥିବାର ନଜୀର ନାହିଁ । କେବଳ ଧର୍ମକୁ ଆଖିଠାର ମାରି କାମ ସମ୍ପାଦନ କରିଦେଇଥାନ୍ତି । ଦିନ କେଇଟା ପରେ ସ୍ଥିତି ତଥା ପୂର୍ବଂ ତଥା ପରଂ ହୋଇଥାଏ । ଅନେକ କ୍ରସରକୁ ପରିବେଶ ମଂଜୁର ଦିଆଯାଇଛି । କ୍ରସର ଚାଲିବା ପାଇଁ ଅନେକ ସର୍ତ୍ତ ପାଳନ କରିବାକୁ କାଗଜରେ ଉଲ୍ଲେଖ ରହିଛି । ବାସ୍ତବରେ ତାହା କରାଯାଉନାହିଁ । ଯେପରି କ୍ରସର ଚାଲିବା ପାଇଁ ବୃକ୍ଷ ରୋପଣ, ଚତୃପାର୍ଶ୍ୱ ୱାଲ, ପାଣି ସିଞ୍ଚନ ଭଳି ଅନେକ ପରିବେଶ ନିୟମ ରହିଛି । ଧୂଳି ଧୂଆଁରେ ଜଳ, ସ୍ଥଳ, ଆକାଶ ଦୂଷିତ ହେଉଛି । ଅନେକ ଜୀବନ ମୃତୁ୍ୟ ମୁଖରେ ପଡି ଜୀବନ ଚାଲିଯାଉଛି । କିନ୍ତୁ ନିୟମ ସଠିକ ପାଳନ କରାଯାଉଛି କି ନାହିଁ କେବେ ହେଲେ ପଦୂଷଣ ଅଧିକାରୀ ତଦାରଖ କରନ୍ତିନାହିଁ । ଯାହା ଫଳରେ ନିୟମକୁ ଉଲ୍ଲଂଘନ କରିବାକୁ ଭୟ କରିନଥାନ୍ତି ବ୍ୟବସାୟୀ । ଅଧିକାରୀଙ୍କୁ ଅଭିଯୋଗ କରିବାପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦୂରର କଥା କ୍ରସରରେ ପାଦ ପକାଇବାକୁ ମନ କରନ୍ତିନି । ଯାହା କ୍ରସର ମାଲିକଙ୍କୁ ବେଶ ସୁହାଉଛି । ଆଉ ଧୂଳି ଧୂଅାଁରେ ଆଉଟୁପାଉଟୁ ହେବାକୁ ପଡ଼ୁଛି ଅଞ୍ଚଳବାସୀଙ୍କୁ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ସର୍ବୋପରି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।