ଶିଳ୍ପ ଓ ଖଣି ପାଇଁ ଉଜୁଡୁଛି ଜଙ୍ଗଲ : ବନୀକରଣ ପାଇଁ ଲ୍ୟାଣ୍ଡ ବ୍ୟାଙ୍କରେ ଜମି ନାହିଁ

 କେନ୍ଦୁଝରରୁ: କେନ୍ଦୁଝର ବନଖଣ୍ଡରେ ଖଣି ଓ ଶିଳ୍ପ ପାଇଁ ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଛି । ଏ ବାବଦରେ ସେମାନେ କାମ୍ପାରେ ଅର୍ଥ ଜମା କରୁଥିଲେ ହେଁ ଲ୍ୟାଣ୍ଡ ବ୍ୟାଙ୍କରେ ଆବଶ୍ୟକ ପରିମାଣର ଜମି ନଥିବାରୁ କ୍ଷତିପୂରଣ ବନୀକରଣ ବାହାର ଜିଲ୍ଲାରେ କରାଯାଉଛି । ସରକାରୀ ତଥ୍ୟ ଅନୁସାରେ କେନ୍ଦୁଝର ବନଖଣ୍ଡରେ ବିଭିନ୍ନ ପ୍ରକଳ୍ପ ଏବଂ ଖଣି ପାଇଁ ୧୪୦୦୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇ ସାରିଲାଣି । ତେବେ ଆବଶ୍ୟକ ଅଣଜଙ୍ଗଲ ଜମି ନଥିବାରୁ ସିଏ ଲ୍ୟାଣ୍ଡ(କ୍ଷତିପୂରଣ ବନିକରଣ) କୋରାପୁଟ,ରାୟଗଡା,କଳାହାଣ୍ଡି ଜିଲ୍ଲାରେ ୫୦୦୦ହେକ୍ଟର ଜମିରେ ବନୀକରଣ କରାଯାଉଛି । ଫଳରେ କେନ୍ଦୁଝର ଜିଲ୍ଲାର ଜଳବାୟୁ ଉପରେ ଏହାର ପ୍ରଭାବ ପଡୁଛି । ନିୟମ ଅନୁଯାୟୀ ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଲେ ସେଥିପାଇଁ ଯେତିକି ଗଛ କଟାଯିବ, ତାହାର ୧୦ ଗୁଣ ନିକଟ ଅଂଚଳରେ  ନୂତନ ବନୀକରଣ କରାଯିବ । ତେବେ କେନ୍ଦୁଝର ଜିଲ୍ଲାରେ ଜମି ନଥିବାରୁ ବାହାର ଜିଲ୍ଲାରେ ବନୀକରଣ କରାଯାଉଛି । ଏହାର ସମାଧାନ ପାଇଁ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଜିଲ୍ଲା ପ୍ରଶାସନକୁ ଲ୍ୟାଣ୍ଡ ବ୍ୟାଙ୍କରେ ଅଧିକ ଅଣ ଜଙ୍ଗଲ ଜମି ଚିହ୍ନଟ କରି ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । କ୍ଷତିପୂରଣ ବନୀକରଣ ପାଇଁ ସର୍ବନିମ୍ନ ୫ହେକ୍ଟର ଅଣ ଜଙ୍ଗଲ ଜମିର ଆବଶ୍ୟକତା ଥିବାବେଳେ କେନ୍ଦୁଝର ଜିଲ୍ଲାରେ ଏହାର ଅଭାବ ପରିଲକ୍ଷିତ ହୋଇଛି । ଜଙ୍ଗଲ ଜମିରେ ବିଭିନ୍ନ ପ୍ରକଳ୍ପ ହେଉଥିବାରୁ କ୍ଷତିପୂରଣ ବନୀକରଣ ପାଇଁ ବ୍ୟାପକ ଅଣଜଙ୍ଗଲ ଜମିର ଆବଶ୍ୟକତା ରହିଛି । କେନ୍ଦୁଝର ଲ୍ୟାଣ୍ଡ ବ୍ୟାଙ୍କରେ ୧୩୮୬ ହେକ୍ଟର ଉଜୁଡା ଜଙ୍ଗଲ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ କ୍ଷତିପୂରଣ ବନୀକରଣ ପାଇଁ ୬୮୩ ହେକ୍ଟର ଜମି ଦିଆଯାଇଛି । ସେହିପରି କାନପୁୁର ବୃହତ ଜଳସେଚନ ପ୍ରକଳ୍ପ ପାଇଁ ୫୧୩ ହେକ୍ଟର ଏବଂ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ପାଇଁ ୧୭୦ ହେକ୍ଟର ଜମି କ୍ଷତିପୂରଣ ବନୀକରଣ ପାଇଁ ଯୋଗାଇ ଦିଆଯାଇଛି । କେନ୍ଦୁଝର ସାଂସଦ ଅନନ୍ତ ନାୟକ ଲୋକଙ୍କ ସହଭାଗିତା ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠିର ସହଯୋଗରେ ପ୍ରତ୍ୟେକ ଗ୍ରାମରେ ଖାଲିଥିବା ସରକାରୀ ଜମିକୁ ଚିହ୍ନଟ କରି ସେଠାରେ ବିଭିନ୍ନ ଫଳଜାତୀୟ ବୃକ୍ଷରୋପଣ କରିବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଫଳରେ ଲୋକଙ୍କ ଜୀବନଜିବିକା ସହ ପରିବେଶର ସୁରକ୍ଷା କରାଯାଇପାରିବ । ଗୋଟିଏ ପଟେ ବିକାଶ ନାମରେ ଜଙ୍ଗଲ ନଷ୍ଟ ହେଉଥିବାରୁ ପରିବେଶ ଉପରେ ଏହାର କୁପ୍ରଭାବ ପଡିଛି । ଜଙ୍ଗଲ ଜୀବଜନ୍ତୁ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ।


ଗୋଟିଏ ପଟେ ଜଙ୍ଗଲ ଧ୍ୱଂସ ହେଉଥିବାବେଳେ ଅନ୍ୟପଟେ ଜଙ୍ଗଲରେ ଥିବା ଏକାଧିକ ଚିରସ୍ରୋତା ନାଳ ଶୁଖିଗଲାଣି । ଫଳରେ ବନ୍ୟପ୍ରାଣୀ ନିଜ ବାସସ୍ଥଳୀ ହରାଇ ଗାଁ ମୁହାଁ ହୋଇ ଲୋକଙ୍କ ଦ୍ୱାରା ଶୀକାର ହେଉଛନ୍ତି । ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଖଣ୍ଡବନ୍ଧ ଜଙ୍ଗଲରେ ବହୁ ସଂଖ୍ୟାରେ ହାତୀ ରହୁଥିବାବେଳେ, ବ୍ୟାପକ ଖଣି ଖନନ ପାଇଁ ବ୍ୟାପକ ଜଙ୍ଗଲ କଟାଯାଉଥିବାରୁ ହାତୀଙ୍କ ବାସସ୍ଥଳୀ ନଷ୍ଟ ହେବାରୁ ଚଳିତ ବର୍ଷ ହାତୀ ପଲ ଉକ୍ତ ସ୍ଥାନକୁ ନ ଯାଇ ଅନ୍ୟତ୍ର ପଳାଇଛନ୍ତି । କେନ୍ଦୁଝର ବନଖଣ୍ଡରେ ବ୍ୟାପକ ଗଛ କଟା ଏବଂ ଜଙ୍ଗଲ ଧ୍ୱଂସ ଯୋଗୁଁ ପରିବେଶ ବିଗିଡିବାକୁ ଲାଗିଲାଣି । ବିଭିନ୍ନ ପ୍ରକଳ୍ପ, ଶିଳ୍ପ ଓ ଖଣି ପାଇଁ ଯେଉଁ ପରିମାଣର ଗଛ କଟୁଛି ସେହି ଅନୁପାତରେ ନୂତନ ଜଙ୍ଗଲ ସୃଷ୍ଟି ହେଉ ନଥିବାରୁ ପରିବେଶ ସନ୍ତୁଳନ ହରାଉଛି । କେବଳ ଖଣି ଏବଂ ଶିଳ୍ପ ନୁହେଁ ରାସ୍ତା, ପାଇପ ଲାଇନ, ରେଳ ଲାଇନ, କେନାଲ କାମ,ବିଦୁ୍ୟତ୍ ଲାଇନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ହେକ୍ଟର ହେକ୍ଟର ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଛି । ପ୍ରତିବର୍ଷ ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଥିବାରୁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀ ସେମାନଙ୍କ ଜୀବିକା ହରାଇଛନ୍ତି । ସରକାର ବିକାଶ ନାମର ଅଧିକ ଖଣି ଉତ୍ତୋଳନ ପାଇଁ ଅନୁମତି ପ୍ରଦାନ କରୁଥିବାରୁ ଆଗାମୀ କିଛି ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ସମ୍ପଦ ହ୍ରାସ ପାଇବା ସହ ପରିବେଶ ବିଗିଡିବାର ସମ୍ଭାବନା ରହିଛି ବୋଲି ପରିବେଶବିତ୍ ଡ. ବିମ୍ବାଧର ବେହେରା କହିଛନ୍ତି, କୌଣସି ଜିଲ୍ଲାରେ ଅଣ ଜଙ୍ଗଲ ଜମି ନ ଥିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଜମି ନ ଥିବା ପ୍ରମାଣପତ୍ର ଦେବା ପରେ ଅନ୍ୟ ପଡୋଶୀ ଜିଲ୍ଲାରେ ବନୀକରଣ ପାଇଁ ଅଣଜଙ୍ଗଲ ଜମି ଆବେଦନ କରିପାରିବେ । ଖଣି ଚାଲୁ କରିବା ପାଇଁ ଓଏମ୍ସି ଏବଂ ଅନ୍ୟ ବହୁ ଖଣି କମ୍ପାନୀ କ୍ଷତିପୂରଣ ବନୀକରଣ ପାଇଁ ଅନ୍ୟ ଜିଲ୍ଲାରେ ଆବେଦନ କରିଛନ୍ତି ।  ତେବେ କେନ୍ଦୁଝର ବନଖଣ୍ଡରେ ଗତ ୧୦ ବର୍ଷ ମଧ୍ୟରେ କେତେ ଅଣ ଜଙ୍ଗଲ ଜମିରେ କ୍ଷତିପୂରଣ ବନୀକରଣ ହୋଇଛି ଏବଂ କେତେ ନୂତନ ଜଙ୍ଗଲ ସୃଷ୍ଟି ହୋଇଛି ତାହାର ସମୀକ୍ଷା ଜରୁରୀ । ଅଣଜଙ୍ଗଲ ଜମିରେ କ୍ଷତିପୂରଣ ବନୀକରଣ ଜଗାରଖା ଅଭାବରୁ ଗଛ ନଷ୍ଟ ହୋଇଗଲାଣି । ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଏ ଦିଗରେ ଉଚିତ୍ ପଦକ୍ଷେପ ନ ନେଲେ ଆଗାମି ଦିନରେ କେନ୍ଦୁଝର ମରୁଭୂମି ପାଲଟିଯିବ ବୋଲି ପରିବେଶବିତ୍ ଆଶଙ୍କା ପ୍ରକାଶ କରିଛନ୍ତି ।