ହାଇୱାକୁ ପିଟିଲା ବସ୍ ଡ୍ରାଇଭର ମୃତ, ୨୦ ଆହତ
ଅନୁଗୁଳ: ଜରପଡା ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ଜରପଡା ନିକଟରେ ମଙ୍ଗଳବାର ଭୋର ସମୟରେ ମମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଯୋଗୁ ଓଲଟି ପଡିଥିବା ହାଇୱା ପଛରେ ଏକ ବସ ଭାରସାମ୍ୟ ହରାଇ ବାଡେଇ ହୋଇଥିଲା । ଫଳରେ ଜଣକର ମୃତୁ୍ୟ ଘଟିଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ବସ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଡ଼ଲଫିନ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପୁରୀ ଅଭିମୁଖେ ପ୍ରାୟ ୩୦ ଯାତ୍ରୀଙ୍କୁ ନେଇ ଯାଉଥିଲା । ଜାତୀୟ ରାଜପଥ ୫୫ ଜରପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇୱା ଗାଡି ପଛରେ ବସ୍ଟି ପିଟିଥିଲା । ସୂଚନା ଯେ, ଡ଼ଲଫିନ ବସ ଭୋର ପ୍ରାୟ ୪ ଟା ବେଳେ ଭାରସାମ୍ୟ ହରାଇ ହାଇୱା ପଛରେ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭରର ମୃତୁ୍ୟ ହୋଇଥିଲା । ଗାଡି ଏତେ ଜୋରରେ ଧକ୍କା ହୋଇଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସ୍ଥାନୀୟ ଲୋକ ଓ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବସଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି ବୋଲି ସୂଚନା ମିଳିଛି ।