ଧୋୟାଞ୍ଚଳରେ ବଢୁଛି ବନ୍ୟାଜଳ  : ପାଣି ଘେରରେ ୪ପଞ୍ଚାୟତ 

 ରାଜନଗର : ବ୍ରାହ୍ମଣୀରେ ବଡଧରଣର ବନ୍ୟାଜଳ ଯୋଗୁଁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଲାଣି । ଧାନତଳି ଓ ରୁଆ ଯାଇଥିବା ଧାନଗଛ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବନ୍ୟା ଛାଡି ଯିବା ପରେ ଚାଷୀମାନେ ତଳି କିଣି ପୁନର୍ବାର ଚାଷ କରିଥିଲେ । ମାତ୍ର ପୁନର୍ବାର ବନ୍ୟାଜଳ ଆସିବା ଫଳରେ ଧାନଗଛ ଚାରିଦିନ ହେବ ବୁଡି ରହିଛି । ବ୍ରାହ୍ମଣୀରେ ପ୍ରବାହିତ ବନ୍ୟାଜଳ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଚଳିତ ବର୍ଷ ଖରିଫ ଫସଲ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ରାଜନଗର ବ୍ଲକ ବନ୍ଧପଡା ପଚାଂୟତର ଚକିବାଙ୍କ ଫିରିକିଦାଣ୍ଡି, ଦକ୍ଷିଣଦାଣ୍ଡି, ଗୋବିନ୍ଦପୁର, ସନ୍ଥପଡା, ଟାଙ୍ଗଣତୈ÷ଳା, ବନ୍ଧପଡା, ଓସ୍ତିଆ ପଚାଂୟତର ନଗଡ, ନଳଦିଆ, କଟକଣା, ବନ୍ଧପାଟଣା, ଓସ୍ତିଆ, ବେଲପାଳ ପଞ୍ଚାୟତ, ରାଜପୁର ପଞ୍ଚାୟତର ରାଜପୁର, ବାଲିଚନ୍ଦ୍ରପୁର, ଚନ୍ଦନପୁର, ବଳଭଦ୍ରପ୍ରସାଦ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ରାସ୍ତାରେ ବନ୍ୟାପାଣି ବଢୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଡଙ୍ଗା ବ୍ୟବସ୍ଥା ହୋଇ ନଥିବାରୁ ବନ୍ୟାଜଳ ହୁ ହୁ ହୋଇ ମାଡୁଥିବା ବେଳେ ଓସ୍ତିଆ ଗାଁ ନିକଟରେ କୁମ୍ଭୀର ଭାସୁଥିବା ଦେଖି ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏହି ପଚାଂୟତଗୁଡିକରେ ପାନୀୟଜଳ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ପାନୀୟଜଳ ପ୍ରକଳ୍ପ ଓ ନଳକୂପଗୁଡିକ ବନ୍ୟା ଜଳରେ ବୁଡି ରହିଥିବାରୁ ପିଇବା ପାଣି ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଈଗୋରୁଙ୍କ ଖାଦ୍ୟାଭାବ ଦେଖା ଦେଇଛି । ସରକାର ପାନୀୟଜଳ, ଗୋ-ଖାଦ୍ୟ ଓ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ସାଧାରଣରେ ଦାବଲ ହେଉଛି ।