ନଦୀ ପଠାରେ ନରକଙ୍କାଳ, ହତ୍ୟା ସନେ୍ଦହ

 ନବରଙ୍ଗପୁର /ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏକମ୍ବା ଓ ନୂଆଗାଁ ମଧ୍ୟରେ ଥିବା ଇନ୍ଦ୍ରାବତୀ ନଦୀ ପଠାରେ ଜଣେ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର ହୋଇଛି । ଆଜି ସକାଳେ କିଛି ଗ୍ରାମବାସୀ ନଦୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ବାଲିରେ ମଣିଷର ହାଡ଼ କଙ୍କାଳ ଦେଖିବାକୁ ପାଇଥିଲେ । ସେଠାରୁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚକୁ ଜଣାଇଥିଲେ । ଏ ବାବଦରେ ସ୍ଥାନୀୟ ସରପଞ୍ଚ ତେନ୍ତୁଳିଖୁଣ୍ଟି ଥାନାକୁ ଖବର ଦେଇଥିଲେ । ଖବର ପାଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରଣବ ଟୁଡୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆଙ୍କ ଉପସ୍ଥିତିରେ କଙ୍କାଳ ଜବତ କରାଯାଇଛି । କଙ୍କାଳ ସହ ଏକ ମୋବାଇଲ ଏବଂ ଇୟରଫୋନ ଥିବା ଯୋଗୁଁ ଜଣେ ପୁରୁଷର ଶବ ହୋଇଥିବା ଅନୁମାନ କରାଯାଉଛି  । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ସନେ୍ଦହ କରୁଛି ପୁଲିସ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନମୂନା ସଂଗ୍ରହ ସହ ଅଧିକ ତଦନ୍ତ କରୁଛି । ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ଅଧୂକ ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ଶ୍ରୀ ଟୁଡୁ ।