ନଦୀରେ ବୁଡି ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତୁ୍ୟ
ଧର୍ମଶାଳା: ବ୍ରାହ୍ମଣୀ ନଦୀରେ ବୁଡିଯାଇ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତୁ୍ୟ ଘଟିଛି । ମୃତ ଅବସରପ୍ରାପ୍ତ ଶିକ୍ଷକ ଚହଟା ଗ୍ରାମର ପୂୂର୍ଣ୍ଣଚନ୍ଦ୍ର ମହାନ୍ତି (୭୪) ହୋଇଥିବା ବେଳେ ସବୁଦିନ ପରି ଆଜି ସକାଳୁ ସେ ଘର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ନଦୀରେ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ସେଠାରେ ଉପସ୍ଥିତ ଲୋକେ ଘର ଲୋକଙ୍କୁ ଖବର ଦେବା ସହ ପାଣିରୁ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିକ୍ଷକତା ଜୀବନ ସମୟରେ ପୂର୍ଣ୍ଣଚନ୍ଦ୍ର ସ୍ଥାନୀୟ ଅପେରା ପାର୍ଟିରେ କମେଡିଆନ ଭବେ ରୋଲ କରି ଦର୍ଶକମାନଙ୍କ ମନମୁଗ୍ଧ କରିଥିଲେ । ପରିବାର ପକ୍ଷରୁ ଥାନାରେ ଲିଖିତ ଆକାରରେ ଜଣାଇବା ପରେ ଧର୍ମଶାଳା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନନ୍ତର କରିଥିଲା । ଅପରାହ୍ନରେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ମରଶରୀର ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡପୁଅ ପ୍ରକାଶ ମହାନ୍ତି ମୁଖାଗ୍ନି ଦେଇଥିଲେ ।